Spread the love

ବେଜିଂ : ସି ଜିନପିଙ୍ଗ ମୁଣ୍ଡରେ ପୁଣି ଥରେ ହାତୀ ଢ଼ାଳିଲା ସୁନା କଳସ । ତୃତୀୟ ଥର ପାଇଁ ଚୀନ୍‌ର ପ୍ରଥମ ନାଗରିକ ଭାବେ ନିର୍ବାଚିତ ହୋଇଛନ୍ତି ସି ଜିନପିଙ୍ଗ । ଆଜିଠୁ ନିଜ ଶାସନର ତୃତୀୟ ପାଳି ଆରମ୍ଭ କରିଛନ୍ତି ସି ଜିନପିଙ୍ଗ ।
ଗତ ବର୍ଷ ଅକ୍ଟୋବରରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ର ମୁଖ୍ୟ ଭାବରେ ସି ଜିନପିଙ୍ଗଙ୍କ ଆଉ ପାଞ୍ଚ ବର୍ଷ କାର୍ଯ୍ୟକାଳ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା। ଚୀନ୍‌ର ରବର ଷ୍ଟାମ୍ପ କୁହାଯାଉଥିବା ସଂସଦ ତାଙ୍କୁ ରାଷ୍ଟ୍ରପତି ଭାବରେ ନିଯୁକ୍ତି କରିଛି। ଏଥିସହ ସେ ଦେଶର କେନ୍ଦ୍ରୀୟ ସାମରିକ ଆୟୋଗର ମୁଖ୍ୟ ଭାବରେ ମଧ୍ୟ ପୁନଃ ନିର୍ବାଚିତ ହୋଇଛନ୍ତି ।
ଗତ ଅକ୍ଟୋବରରେ ଶୂନ-କୋଭିଡ ନୀତି ଲାଗୁ କରିବା ଓ ପରେ ତାହାକୁ ପ୍ରତ୍ୟାହାର କରିବା ନେଇ ୬୯ ବର୍ଷୀୟ ଜିଙ୍ଗପିନ୍‌ଙ୍କୁ ଖୁବ୍‌ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ଚଳିତ ସପ୍ତାହରେ ନ୍ୟାସନାଲ ପିପୁଲ କଂଗ୍ରେସ ମିଟିଂରେ ଏହି ପ୍ରସଙ୍ଗଗୁଡ଼ିକୁ ଏଡ଼ାଇ ଦିଆଯାଇଥିଲା। ଉକ୍ତ ମିଟିଙ୍ଗରେ ଜିନପିଙ୍ଗଙ୍କ ନିକଟତମ କୁହାଯାଉଥିବା ଲି କିଆଙ୍ଗଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି।
ସର୍ବ ସହମତିରେ ଜିଙ୍ଗପିନ୍‌ଙ୍କୁ ପୁଣି ଥରେ ଦେଶର ମୁଖ୍ୟ ଭାବେ ନିର୍ବାଚିତ କରାଯାଇଛି। ସମସ୍ତ ୨୯୫୨ ଭୋଟ ତାଙ୍କ ସପକ୍ଷରେ ଯାଇଥିଲା। ଏହି ସମୟରେ ଜିଙ୍ଗପିନ୍‌ ନିଜ ଡାହାଣ ହାତକୁ ଟେକିଥିବା ବେଳେ ବାମ ହାତକୁ ଲାଲ କପଡ଼ାରେ ଗୁଡ଼ା ହୋଇଥିବା ଚାଇନାର ସମ୍ବିଧାନ ଉପରେ ରଖିଥିଲେ।
ସର୍ବ ସମ୍ମତକ୍ରମେ ନିର୍ବାଚିତ ହେବା ପରେ ଜିଙ୍ଗପିନ୍‌ ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ମୁଁ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନାର ସମ୍ବିଧାନ ପ୍ରତି ବିଶ୍ୱସ୍ତ ରହିବାକୁ ଶପଥ ନେଉଛି। ଏହି ଅବଧୀ ମଧ୍ୟରେ ମୁଁ ନିଜ ଦାୟିତ୍ୱ ଠିକ ଭାବେ ସୁପରିଚାଳନା କରିବି, ମାତୃଭୂମି ପ୍ରତି ବିଶ୍ୱସ୍ତ ରହିବି ତଥା ସଚ୍ଚୋଟତା ଏବଂ ପରିଶ୍ରମ ସହିତ ନିଜ କର୍ତ୍ତବ୍ୟ କରିବି।
ଜିଙ୍ଗପିନ୍‌ଙ୍କ ଶପଥ ସମାରୋହକୁ ସମଗ୍ର ଦେଶବାସୀ ଲାଇଭ୍‌ ଦେଖିଥିବା ବେଳେ ଏହି ଅବସରରେ ସେ ଏକ ସମୃଦ୍ଧ, ଶକ୍ତିଶାଳୀ, ଗଣତାନ୍ତ୍ରିକ, ସଭ୍ୟ, ସୁସଂଗତ ତଥା ମହାନ ଆଧୁନିକ ସମାଜବାଦୀ ଚାଇନା ଗଠନ କରିବାକୁ ପ୍ରତିଜ୍ଞା କରିଛନ୍ତି।
ଏକ ଛୋଟ ପାର୍ଟି ଆପାର୍ଟିକ୍‌ରୁ କ୍ୟାରିଅର ଆରମ୍ଭ କରିଥିବା ଜିଙ୍ଗପିନ୍‌ ଏବେ ବିଶ୍ୱର ଶକ୍ତିଶାଳୀ ନେତାଙ୍କ ମଧ୍ୟରୁ ଅନ୍ୟତମ । ‘ସି ଜିନପିଙ୍ଗ: ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି’ ର ସହ-ଲେଖକ ଆଡ୍ରିଆନ୍ ଗିଗସ୍ କହିଛନ୍ତି, ଚୀନକୁ ନେଇ ଜିଙ୍ଗପିନ୍‌ଙ୍କର ଦୂରଦୃଷ୍ଟି ରହିଛି । ସେ ଚୀନ୍‌କୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଭାବରେ ଦେଖିବାକୁ ଚାହୁଁଛନ୍ତି । ଏପରିକି ତାଙ୍କ ପରିବାରର ଜମା ସମ୍ପତ୍ତିକୁ ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଥିଲେ ବି ଏହା କିନ୍ତୁ ତାଙ୍କ ରାଜନୈତିକ କ୍ୟାରିଅର ଉପରେ କିଛି ପ୍ରଭାବ ପକାଇ ପାରିନି ବୋଲି ସେ କହିଛନ୍ତି | ଏହା ମାଓବାଦୀ ଶାସନ ନୁହେଁ, ବରଂ ଜିଙ୍ଗପିନ୍‌ଙ୍କ ଶାସନ କାଳରେ ମାଓବାଦୀମାନେ ଆରାମଦାୟକ ଅନୁଭବ କରିବେ ବୋଲି ଚାଇନାର ଜଣେ ତୁଙ୍ଗ ନେତା କହିଛନ୍ତି।

Leave a Reply

Your email address will not be published. Required fields are marked *