ହାଇଦରାବାଦ୍: ମଙ୍ଗଳବାର ରାତିରେ ପାକିସ୍ତାନର ହାଇଦରାବାଦ୍ସ୍ଥିତ ବାସଭବନରେ ଧରମ ଦେବ ରଥି ନାମରେ ଜଣେ ଡାକ୍ତରଙ୍କ ତଣ୍ଟିକାଟି ହତ୍ୟା କରାଯାଇଥିବା କଥା ପୁଲିସ ପାକିସ୍ତାନୀ ସମ୍ବାଦପତ୍ର ‘ଦି ନେସନ୍’କୁ କହିଛି।
ଛୁରିଦ୍ବାରା ତଣ୍ଟିକାଟି ଡାକ୍ତର ରଥିଙ୍କୁ ତାଙ୍କ ଡ୍ରାଇଭର୍ ହନିଫ୍ ଲେଘାରି ହତ୍ୟା କରିଥିଲା। ବୁଧବାର ଦିନ ଖୈର୍ପୁରସ୍ଥିତ ଘରୁ ସେ ଡ୍ରାଇଭର୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।
ଡାକ୍ତରଙ୍କ ରୋଷେୟା ପୁଲିସକୁ କହିଛି ଯେ, ଘରକୁ ଫେରିବା ବାଟରେ ତୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଘରେ ପହଞ୍ଚିବା ପରେ ଡ୍ରାଇଭର୍ ରୋଷେଇ ଘରୁ ଛୁରିଟିଏ ଆଣି ଡାକ୍ତରଙ୍କୁ ଘର ଭିତରେ ହିଁ ହତ୍ୟା କରିଛି। ଏହାପରେ ଡ୍ରାଇଭର୍ ଡାକ୍ତରଙ୍କ କାର୍ ଚଳାଇ ଘଟଣାସ୍ଥଳରୁ ଖସି ପଳାଇଲା।
ଜଣେ ପ୍ରସିଦ୍ଧ ଚର୍ମରୋଗ ବିଶେଷଜ୍ଞ ଭାବେ ହାଇଦରାବାଦ୍ ଅଞ୍ଚଳରେ ଡାକ୍ତର ଧରମ ଦେବ ରଥିଙ୍କର ସୁନାମ ଥିଲା ବୋଲି ‘ଦି ନେସନ୍’ ରିପୋର୍ଟ କରିଛି।
ମାଲିକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସନ୍ଦିଗ୍ଧକୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିଥିବାରୁ ପୁଲିସକୁ ପାକିସ୍ତାନ ସଂଖ୍ୟାଲଘୁ ବ୍ୟାପାରର ପ୍ରାଦେଶିକ ମନ୍ତ୍ରୀ ଜ୍ଞାନଚାନ୍ଦ ଏସ୍ସାରାନି ପ୍ରଶଂସା କରିଛନ୍ତି। ଘଟଣାର ସୁବିଚାର ହେବ ବୋଲି ମଧ୍ୟ ସେ ନିହତ ଡାକ୍ତରଙ୍କ ପରିବାରବର୍ଗଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
‘ପାକିସ୍ତାନ ପିପୁଲ୍ସ୍ ପାର୍ଟି’ର ମହିଳା ଶାଖା ମୁଖ୍ୟ ଫାରିୟାଲ୍ ତଲ୍ପୁର୍ ଏହି ହତ୍ୟାକାଣ୍ଡକୁ ନିନ୍ଦା କରି ଘଟଣାକୁ ହୃଦୟ ବିଦାରକ ବୋଲି କହିଛନ୍ତି। ମାମଲାର ବିଚାର ହେବ ବୋଲି ସେ ମଧ୍ୟ ଡାକ୍ତରଙ୍କ ପରିବାରବର୍ଗଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।