Spread the love

ନୂଆଦିଲ୍ଲୀ : ଆସନ୍ତାକାଲି ହୋଲି ମହାତ୍ସୋବ ବେଳେ ଦେଶ ପାଇଁ ପୂଜା ଓ ପ୍ରାର୍ଥନା କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ନିଜେ ଏକଥା ଘୋଷଣା କରିବା ସହ ସିବିଆଇ ଓ ଇଡିର ଗିରଫଦାରୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଷଡ଼ଯନ୍ତ୍ର କରି ପ୍ରଧାନମନ୍ତ୍ରୀ ମୋଦି ହିଁ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କୁ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ଗିରଫ କରାଇଥିବା ସେ କହିଛନ୍ତି। ଏଥିସହ କର୍ଣ୍ଣାଟକା ବିଜେପି ବିଧାୟକଙ୍କ ଘରୁ କୋଟି କୋଟି ଟଙ୍କା ମିଳିଥିଲେ ମଧ୍ୟ ତାଙ୍କୁ କାହିଁକି ଗିରଫ କରାଯାଇ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ଗୋଟିଏ ଭିଡିଓ ବାର୍ତ୍ତାରେ କେଜ୍ରିୱାଲ କହିଛନ୍ତି ଯେ ସେ ଦେଶରେ ଜାରି ରହିଥିବା ଅବସ୍ଥାକୁ ଦେଖି ବେଶ ଚିନ୍ତିତ। ସେ କହିଛନ୍ତି, “ସମସ୍ତେ ଜାଣିଛନ୍ତି ଯେ ସରକାରୀ ସ୍କୁଲ ଓ ହସ୍ପିଟାଲର ଅବସ୍ଥା ଅତ୍ୟନ୍ତ ଖରାପ। କିନ୍ତୁ ଦୁଇ ଜଣ ବ୍ୟକ୍ତି ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ସରକାରୀ ସ୍କୁଲ ଓ ହସ୍ପିଟାଲର ଉନ୍ନତି କରିଥିଲେ।
ହେଲେ ସେମାନେ ଏବେ ଜେଲରେ ଅଛନ୍ତି। ଭଲ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦେଉଥିବା ବ୍ୟକ୍ତିଙ୍କୁ ଯେଉଁ ଦେଶରେ ପ୍ରଧାନମନ୍ତ୍ରୀ ଜେଲରେ ଭର୍ତ୍ତି କରୁଛନ୍ତି ଓ ଲୁଟ କରୁଥିବା ଲୋକଙ୍କୁ ସମର୍ଥନ କରୁଛନ୍ତି, ସେ ଦେଶର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଆସନ୍ତାକାଲି ମୁଁ ଦେଶ ପାଇଁ ଧ୍ୟାନ ଓ ପ୍ରାର୍ଥନା କରିବି। ଯଦି ଆପଣମାନେ ଭାବୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଲ କରୁଛନ୍ତି ଓ ଆପଣ ମଧ୍ୟ ଦେଶ ପାଇଁ ଚିନ୍ତିତ, ତା’ହେଲେ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ହୋଲି ପାଳନ ପରେ ଆପଣମାନେ ମଧ୍ୟ ସମୟ ବାହାର କରି ଦେଶ ପାଇଁ ପ୍ରାର୍ଥନା କରନ୍ତୁ।”
ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ସାହାସୀ ହୋଇଥିବାରୁ ସେମାନଙ୍କ ପାଇଁ କେଜ୍ରିୱାଲ ଆଦୌ ବ୍ୟସ୍ତ ହେଉ ନଥିବା କହିଛନ୍ତି। ସେ କହିଛନ୍ତି, “ସେମାନେ ଅତ୍ୟନ୍ତ ସାହାସୀ। ସେମାନେ ଦେଶ ପାଇଁ ମରିବାକୁ ପ୍ରସ୍ତୁତ। କେହି ବି ସେମାନଙ୍କ ଧୈର୍ଯ୍ୟକୁ ଭାଙ୍ଗି ପାରିବେ ନାହିଁ। ମୁଁ ଦେଶରେ ଚାଲିଥିବା ଅବସ୍ଥାକୁ ନେଇ ଚିନ୍ତିତ। ଏଠାରେ ସାଧାରଣ ଲୋକଙ୍କ ପାଇଁ କିଛି ବି ହେଉନି କିମ୍ବା ସାଧାରଣ ଲୋକଙ୍କ କଥାକୁ ଶୁଣା ଯାଉନି।”

Leave a Reply

Your email address will not be published. Required fields are marked *