Spread the love

ଭୋପାଳ : ଗୋଟିଏ ବଡିବିଲଡିଂ ପ୍ରତିଯୋଗିତା ଏବେ ରାଜନୀତିକ କୁସ୍ତି ମ୍ୟାଚ୍‌ରେ ପରିଣତ ହୋଇଛି। ମଧ୍ୟପ୍ରଦେଶର ରତଲମରେ ଆୟୋଜିତ ବଡିବିଲଡିଂ ପ୍ରତିଯୋଗିତାକୁ ନେଇ କଂଗ୍ରେସ ଓ ବିଜେପି କର୍ମୀମାନେ ପିଟାପିଟି ହୋଇଛନ୍ତି। ଷ୍ଟେଜ ଉପରେ ଭଗବାନ ହନୁମାନଙ୍କ ଫଟୋଚିତ୍ର ରଖି ତାଙ୍କ ସାମ୍ନାରେ ମହିଳା ବଡି ବିଲଡର୍ସମାନେ ଛୋଟ ଛୋଟ ଡ୍ରେସ ପିନ୍ଧି ପୋଜ ଦେବାରୁ ଏହାକୁ କଂଗ୍ରେସ ବିରୋଧ କରିଛି।
ଏହାକୁ ବିଜେପି କାଉଣ୍ଟର କରିବାରୁ ମାରପିଟ ଓ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ବିଭିନ୍ନ ମହଲରେ ମଧ୍ୟ ଏପରି ଏକ ବଡିବିଲଡିଂ ପ୍ରତିଯୋଗିତାକୁ ନିନ୍ଦା କରାଯାଇଛି।
ମାର୍ଚ୍ଚ ୩ ଓ ୪ ତାରିଖରେ ରତଲମଠାରେ ରାଜ୍ୟର ୧୩ତମ ମିଷ୍ଟର୍‌ ଜୁନିୟର୍‌ ବଡିବିଲ୍ଡିଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ହନୁମାନଙ୍କ ଫଟୋଚିତ୍ର ଷ୍ଟେଜ ଉପରେ ରଖା ଯାଇଥିଲା। ଏହି ସମୟରେ ମହିଳା ବଡିବିଲ୍ଡର୍‌ମାନେ ଛୋଟ ଛୋଟ ପୋଷାକ ପରିଧାନ କରି ବିଭିନ୍ନ ପ୍ରକାରର ପୋଜ୍‌ ଦେଇଥିଲେ।
ତେବେ ଏହି ପ୍ରତିଯୋଗିତା ଶେଷ ହେବା କ୍ଷଣି କଂଗ୍ରେସ କର୍ମୀମାନେ ଉକ୍ତ ସ୍ଥାନରେ ଗଙ୍ଗାଜଳ ପକାଇବା ସହ ହନୁମାନ ଚାଳିଶା ପଢ଼ିଥିଲେ। ଏହି ସମୟରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟ ଧସ୍ତାଧସ୍ତି ହୋଇଥିଲା। ଉକ୍ତ ବଡି ବିଲଡିଂ ପ୍ରତିଯୋଗିତାକୁ ବିଜେପି ମେୟର ପ୍ରହ୍ଲାଦ ପଟେଲ ଥିବା କମିଟି ଆୟୋଜନ କରିଥିଲା। ଏଥିରେ ରତଲମର ବିଧାୟକ ଚୈତନ୍ୟ କଶ୍ୟପ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
ପ୍ରତିଯୋଗିତାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ମହିଳାମାନେ ବିଭିନ୍ନ ପ୍ରକାରର ପୋଜ ଦେଇ ନିଜର ଅଙ୍ଗ ପ୍ରଦର୍ଶନ କରୁଛନ୍ତି। ଏହାକୁ ନେଇ କଂଗ୍ରେସ କ୍ଷମତାସୀନ ବିଜେପିକୁ ଟାର୍ଗେଟ କରିଛି। ଜିଲ୍ଲା ଯୁବ କଂଗ୍ରେସ କମିଟି ସଭାପତି ମୟଙ୍କ ଜାଟ କହିଛନ୍ତି ଯେ ଯେଉଁମାନେ ଏପରି କାମ କରିଛନ୍ତି, ସେମାନଙ୍କୁ ଭଗବାନ ହନୁମାନ ଦଣ୍ଡ ଦେବେ। ତେବେ ବିଜେପି ଏହାକୁ କାଉଣ୍ଟର କରି ମହିଳା କାର୍ଡ ଖେଳିଛି।
ମହିଳାମାନେ ନିଜର ଦକ୍ଷତା କ୍ରୀଡ଼ା କ୍ଷେତ୍ରରେ ପ୍ରଦର୍ଶନ କରନ୍ତୁ ବୋଲି କଂଗ୍ରେସ ଚାହୁଁନାହିଁ। ଏଥିପାଇଁ ସେମାନେ ଏହାକୁ ବିରୋଧ କରୁଥିବା ବିଜେପି ଦାବି କରିଛି। ଏଥିସହ ବିଜେପି ପକ୍ଷରୁ କଂଗ୍ରେସ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ୍‌କୁ ଗୋଟିଏ ସ୍ମାରକପତ୍ର ଦେଇଛନ୍ତି।

Leave a Reply

Your email address will not be published. Required fields are marked *