Spread the love

ମୁମ୍ବାଇ: ଚଳିତ ମହିଳା ପ୍ରିମିୟର୍ ଲିଗ୍ (ଡବ୍‌ଲ୍ୟୁପିଏଲ୍‌)ରେ ରବିବାର ରାତିରେ ଖେଳାଯାଇଥିବା ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟସକୁ ୟୁପି ୱାରିୟର୍ସ ରୋମାଞ୍ଚକ ଭାବେ ୩ ୱିକେଟ୍‌ରେ ପରାସ୍ତ କରିଛି। ୧୭୦ ରନ୍‌କୁ ପିଛା କରି ୟୁପି ୨୦/୩ରେ ସଂଘର୍ଷ କରୁଥିବା ବେଳେ କିରଣ ନଭଗିରେ (୪୩ ବଲ୍‌ରୁ ୫୩ ରନ୍‌) ମଧ୍ୟକ୍ରମରେ ଲଢ଼ିଥିଲେ। ଆଲିସା ହିଲି (୭)ଙ୍କ ସହ ୟୁପି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। କିମ୍ ଗାର୍ଥ ୫ ୱିକେଟ୍ ଦଖଲ କରିବାରୁ ଗୁଜରାଟ ବିଜୟୀ ସ୍ଥିତିରେ ଥିଲା। ଦୁଇ ବିଦେଶୀ ଖେଳାଳି ଗ୍ରେସ୍ ହାରିସ (୨୬ ବଲ୍‌ରୁ ୫୯* ରନ୍) ଏବଂ ସୋଫି ଏସେଲଷ୍ଟୋନ୍ (୧୨ ବଲ୍‌ରୁ ୨୨* ରନ୍‌) ମ୍ୟାଚ୍‌ ଛଡ଼ାଇ ନେଇଥିଲେ।‌ ଶେଷ ଓଭରରୁ ୧୯ ରନ୍ ଆବଶ୍ୟକ ପଡ଼ିଥିଲେ ମଧ୍ୟ ହାରିସ-ସୋଫି ଏହାକୁ ସମ୍ଭବ କରିଥିଲେ। ଏହି ଯୋଡ଼ି ମାତ୍ର ୪.୧ ଓଭରରୁ ୭୦ ରନ୍‌ ଯୋଡ଼ି ଗୁଜରାଟ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ଗୁଜରାଟ ୧୯.୫ ଓଭରରେ ୭ ୱିକେଟ୍ ହରାଇ ୧୭୫ ରନ୍‌ ସଂଗ୍ରହ କରି ନେଇଥିଲା। ସଦରଲାଣ୍ଡଙ୍କୁ ଛକା ମାରି ହାରିସ୍‌ ମ୍ୟାଚ୍‌ ଶେଷ କରିଥିଲେ। ଆୟର୍ଲାଣ୍ଡ ଖେଳାଳି କିମ୍ ଗାର୍ଥ (୪-୦-୩୬-୫)ଙ୍କ ବୋଲିଂ ସଫଳତା ବେକାର ଯାଇଥିଲା। ଗୁଜରାଟ ୨ରୁ ୨ ପରାଜୟ ବରଣ କରିଥିଲା।
ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଜାଏଣ୍ଟସ୍‌ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲେ ମଧ୍ୟ ଛୋଟ ଛୋଟ ପାଳିକୁ ନେଇ ୧୬୯ ରନ୍‌ର ଲଢ଼ୁଆ ସ୍କୋର୍‌ କରିଥିଲା। ଭାରତୀୟ ବ୍ୟାଟର୍ ହର୍ଲିନ୍ ଦେଓଲ୍ ସର୍ବାଧିକ ୪୬ ରନ୍ (୩୨ ବଲ୍‌, ୭‌ ଚୌକା) କରିଥିବା ବେଳେ ପ୍ରାରମ୍ଭିକ ବ୍ୟାଟର୍‌ ଶଭିନେନି ମେଘନା (୧୫ ବଲ୍‌ରୁ ୨୪ ରନ୍‌), ଆସଲେ ଗାର୍ଡନର୍ (୧୯ ବଲ୍‌ରୁ ୨୫ ରନ୍‌), ଦୟାଲନ୍ ହେମଲତା (୧୩ ବଲ୍‌ରୁ ୨୧* ରନ୍) ଭଲ ବ୍ୟାଟିଂ କରିଥିଲେ। ହର୍ଲିନଙ୍କ ବିଦାୟ ପରେ ଶେଷ ୧୬ ବଲ୍‌ରୁ ଦଳ ୨୭ ରନ୍‌ ଆଦାୟ କରି ଆହ୍ବାନଭରା ସ୍କୋର୍‌ ଦେଇଥିଲା। ଅଧିନାୟିକା ସ୍ନେହ ରାଣା ୭ ବଲରୁ ୯* ରନ୍‌ କରିଥିଲେ। ୟୁପି ୱାରିୟର୍ଜ ପକ୍ଷରୁ‌ ସୋଫି ଏସେଲଷ୍ଟୋନ୍ (୪-୦-୨୫-୨), ଦୀପ୍ତି ଶର୍ମା (୪-୦-୨୭-୩୨), ତାହ୍ଲିଆ ମ୍ୟାକଗ୍ରା (୨-୦-୧୮-୧), ଅଞ୍ଜଳି ସର୍ବାଣୀ (୪-୦-୪୩-୧) ୱିକେଟ୍ ଦଖଲରେ ସଫଳ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର: ଗୁଜରାଟ ଜାଏଣ୍ଟସ ୨୦ ଓଭରରେ ୧୬୯/୬ (ହର୍ଲିନ ଦେଓଲ-୪୬, ଆସଲେ ଗାର୍ଡନର-୨୫, ସୋଫି ଏସେଲଷ୍ଟୋନ୍‌-୨/୨୫, ଦୀପ୍ତି ଶର୍ମା-୨/୨୭)। ୟୁପି ୱାରିୟର୍ସ ୧୯.୫ ଓଭରରେ ୧୭୫/୭ (କିରଣ ନଭଗିରେ-୫୩, ଗ୍ରେସ୍ ହାରିସ-୫୯*, ସୋଫି ଏସେଲଷ୍ଟୋନ୍‌-୨୨*, କିମ ଗାର୍ଥ-୫/୩୬)।

Leave a Reply

Your email address will not be published. Required fields are marked *