ମୁମ୍ବାଇ: ଆଇପିଏଲ ୨୦୨୩ ପାଇଁ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ ଆଜି ଏହାର ନୂଆ ଜର୍ସି ସାମ୍ନାକୁ ଆଣିଛି | ଫ୍ରାଞ୍ଚାଇଜ୍ ମାଲିକ ସଞ୍ଜୀବ ଗୋଏଙ୍କା, ବିସିସିଆଇ ସଚିବ ଜୟ ଶାହା, ଦଳର ପରାମର୍ଶଦାତା ଗୌତମ ଗମ୍ଭୀର ଏବଂ ଅଧିନାୟକ କେ.ଏଲ୍ ରାହୁଲ ଏହି ନୂତନ ଜର୍ସି ଲଞ୍ଚ କରିଛନ୍ତି। ଲକ୍ଷ୍ନୌ ସୁପରଜ୍ୟାଣ୍ଟସ ଦଳର ଏହି ନୂତନ ଜର୍ସିର ରଙ୍ଗ ଏହାର ପୁରୁଣା ଜର୍ସିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଥର ଜର୍ସିକୁ ନୀଳ ରଙ୍ଗର ହୋଇଥିବାବେଳେ କମଳା ଏବଂ ସବୁଜ ରଙ୍ଗର ରେଖା ରହିଛି |
ତେବେ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ କାହିଁକି ଏହି ଜର୍ସିର ରଙ୍ଗ ନୀଳ କଲା ଓ ଏହାର ଡିଜାଇନ ପଛର ରହସ୍ୟ ବାବଦରେ ମଧ୍ୟ ଖୁଲାସା କରାଯାଇଛି | ଲକ୍ଷ୍ନୌ ସୁପରଜ୍ୟାଣ୍ଟସ ଅନୁଯାୟୀ, ପଡିଆରେ ଖେଳୁଥିବାବେଳେ ନୀଳ ଆକାଶ ସହ ଭାରତୀୟ ଦଳର ଜର୍ସି ମଧ୍ୟ ଏହି ରଙ୍ଗର ହୋଇଥିବାବେଳେ ଭାରତର କ୍ରିକେଟ ଯେଭଳି ସମଗ୍ର ଦେଶକୁ ଯୋଡିଥାଏ, ଠିକ ସେହିପରି କ୍ରୀଡ଼ାପ୍ରେମୀଙ୍କୁ ଯୋଡିବା ପାଇଁ ଏହାର ରଙ୍ଗ ନୀଳ କରାଯାଇଛି । ଜର୍ସିରେ ଦିଆଯାଇଥିବା କମଳା ରଙ୍ଗ ଶକ୍ତି ଏବଂ ସାହସକୁ ସୂଚାଉଥିବାବେଳେ ସବୁଜ ରଙ୍ଗ ଅସରନ୍ତି ଜୀବନକୁ ସୂଚାଉଛି | ଉଲ୍ଲେଖ ଥାଉ କି ଲକ୍ଷ୍ନୌ ସୁପରଜ୍ୟାଣ୍ଟସ ଟିମ ଗତ ସିଜନରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା | ଏହି ଦଳ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନ ଅଧିକାର କରି ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା | ଯଦିଓ ଏହି ଦଳ ଫାଇନାଲରେ ପହଞ୍ଚି ପାରିନଥିଲା |