Spread the love

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତକୁ ନେଇ ସମାଲୋଚନା କରିଛି ବିଜେପି। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିବା ସହିତ, ଏ ଗସ୍ତରେ ପଶ୍ଚିମ ଓଡ଼ିଶାବାସୀ ନିରାଶ ହୋଇଛନ୍ତି ବୋଲି କହିଛନ୍ତି । ଖାଲି ସେତିକି ନୁହେଁ, ନିର୍ବାଚନରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ପ୍ରଭାବିତ କରିବା ପାଇଁ ବିଜେଡି ଏ ବିଶାଳ ଆୟୋଜନ କରିଛି। ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟରେ ସେ ହତାଶ ଏବଂ ନିରାଶ ହୋଇଛନ୍ତି ବୋଲି କହିଛନ୍ତି ପ୍ରଦୀପ ପୁରୋହିତ।

ପ୍ରଦୀପ କହିଛନ୍ତି, ସୋହେଲାରେ ମୁଖ୍ୟମନ୍ତ୍ରୀ ପୁଣି ନିରାଶ କରିଛନ୍ତି। ୨୦୧୬ ମସିହା ପରି ଅପେରା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର ବିକାଶରେ ୩୫ ହଜାର କୋଟି ଖର୍ଚ୍ଚ କରିବେ ବୋଲି କହିଥିଲେ, ସାତ ବର୍ଷ ଭିତରେ କିନ୍ତୁ ସେ ଅର୍ଥ ଖର୍ଚ୍ଚ ହୋଇପାରିଲା ନାହିଁ । ବିଜୁ ଏକ୍ସପ୍ରେସ ୱେରେ ଯେତେ ବ୍ରିଜ ନିର୍ମାଣ ହୋଇଛି, ସେସବୁ କେନ୍ଦ୍ର ସରକାର କରିଛନ୍ତି । ପଶ୍ଚିମ ଓଡ଼ିଶାବାସୀ ଚାହୁଁଥିଲେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ବୋନସ କଥା କହିବେ, ଗଙ୍ଗାଧର ମେହେର ଜଳସେଚନ କଥା କହିବେ, ଦାଦନ ପାଇଁ ନୂଆ ନୂଆ ଯୋଜନା ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ କହିବେ। କିନ୍ତୁ ଏ ବିଷୟରେ ପଦୁଟିଏ କହିଲେ ନାହିଁ ମୁଖ୍ୟମନ୍ତ୍ରୀ। ଏ ଗସ୍ତରେ ପଶ୍ଚିମ ଓଡ଼ିଶାବାସୀ ନିରାଶ ହୋଇଛନ୍ତି।

ଅନ୍ୟପଟେ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ଏ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ତେରେଛା ବାଣ ମାରିଛନ୍ତି । ନରସିଂହ କହିଛନ୍ତି, ବିକାଶର ଅର୍ଥ ନବୀନ ବାବୁ ବୁଝିଛନ୍ତି ନା ନାହିଁ ତାଙ୍କୁ ଅନୁଭବ ହେଉନି। ବିକାଶର ପ୍ରଥମ ଦିଗ ହେଉଛି ଶିକ୍ଷା। କିନ୍ତୁ ଶିକ୍ଷା କ୍ଷେତ୍ରରେ ସ୍କୁଲରେ କେବଳ ରଙ୍ଗ ବୋଳି ଦେଲେ କିନ୍ତୁ ନା ଶିକ୍ଷକ ଅଛନ୍ତି ନା ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିଛି । ସେହିପରି ଦ୍ୱିତୀୟ ଦିଗଟି ହେଉଛି ସ୍ୱାସ୍ଥ୍ୟ, ସେଥିରେ ମେଡ଼ିକାଲରେ ଡାକ୍ତର ଅଭାବ, ଭିତ୍ତିଭୂମି ନାହିଁ। ସେହିପରି ଚାଷୀଙ୍କ ଦୁଃଖ କହିଲେ ନ ସରେ। ଜଳ ସେଚନଠୁ ନେଇ ଚାଷୀ ଆୟ ସବୁଥରେ ସ୍ଥିତି ଖରାପ। ବଜେଟର ଅର୍ଥ ଖର୍ଚ୍ଚ ହୋଇପାରୁନି। କେବିକେରେ ଦ୍ୱିତୀୟ କୃଷି ବିଶ୍ଵବିଦ୍ୟାଳୟ କୁଆଡ଼େ ଗଲା ବୋଲି ନରସିଂହ ପ୍ରଶ୍ନ କରିଛନ୍ତି ।
ସେହିପରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ନେଇ କାହିଁକି କେନ୍ଦ୍ର ଚିଠିର ଉତ୍ତର ଦେଉ ନାହାନ୍ତି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ କେବଳ ଶୁଭ ଦେଉଛନ୍ତି ହେଲେ କାମ ହେଉନି। ଯେଉଁ ପ୍ରକଳ୍ପ ଶେଷ ହୋଇ ନାହିଁ, ସେଠି ପ୍ରକଳ୍ପ ଉଦଘାଟନ କରାଯାଉଛି।

Leave a Reply

Your email address will not be published. Required fields are marked *