Spread the love

ଲକ୍ଷ୍ନୌ : ଦୀର୍ଘ ଦୁଇ ଦଶନ୍ଧି ତଳର ଗୋଟିଏ ସ୍ୱାଧିକାର ଭଙ୍ଗ ନୋଟିସ ଘଟଣାରେ ଦଣ୍ଡ ପାଇଛନ୍ତି ୬ ଜଣ ପୁଲିସ୍‌ କର୍ମଚାରୀ। ତତ୍କାଳୀନ ବିଜେପି ବିଧାୟକ ସାଲିଲ ବିଷ୍ଣୋଇଙ୍କ ନୋଟିସ ଆଧାରରେ ଉତ୍ତର ପ୍ରଦେଣ ବିଧାନସଭା ୬ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଦିନିକିଆ ବନ୍ଦୀ ଦଣ୍ଡରେ ଦଣ୍ଡିତ କରିଛି।
ଏହି ସ୍ୱାଧିକାର ନୋଟିସଟି ୨୦୦୪ ମସିହାର। ସେତେବେଳେ ବିଷ୍ଣୋଇ ଗୋଟିଏ ପ୍ରତିନିଧି ମଣ୍ଡଳ ସହ କାନପୁରରେ ହେଉଥିବା ବିଜୁଳି କାଟ ବିରୋଧରେ ସ୍ମାରକପତ୍ର ଦେବାକୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପାଖକୁ ଯାଉଥିଲେ। ୨୦୦୪ ସେପ୍ଟେମ୍ବର ୧୫ରେ ସେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପାଖକୁ ଯାଉଥିବା ବେଳେ ଏହି ୬ ଜଣ ପୁଲିସ୍‌ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିଥିଲେ।
ଏଥିପାଇଁ ସେ ୬ ପୁଲିସ୍‌ କର୍ମଚାରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଦେଇଥିଲେ। ଶୁକ୍ରବାର ଏହାକୁ ନେଇ ବିଧାନସଭା ଏକପ୍ରକାରର କୋର୍ଟରେ ପରିଣତ ହୋଇଥିଲା। ଏହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ ଖାନ୍ନା ଗୋଟିଏ ସଂକଳ୍ପ ଆଗତ କରି ୬ ପୁଲିସ୍‌ କର୍ମଚାରୀଙ୍କୁ ରାତି ୧୨ଟା ଯାଏ ବନ୍ଦୀ କରି ରଖିବାକୁ କହିଥିଲେ। ଏହାକୁ ଗ୍ରହଣ କରି ବାଚସ୍ପତି ସତୀଶ ମହାନା ରାୟ ଶୁଣାଇଥିଲେ।
ନିର୍ଦ୍ଦେଶ ମୁତାବକ ପୁଲିସ୍‌ କର୍ମଚାରୀମାନଙ୍କୁ ବିଧାନସଭା ବିଲଡିଂ ମଧ୍ୟରେ ଥିବା ଗୋଟିଏ ରୁମରେ ବନ୍ଦୀ ହୋଇ ରହିବେ। ସେମାନଙ୍କୁ ସେଠାରେ ଖାଦ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସୁବିଧା ଯୋଗାଇ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।
ଦଣ୍ଡିତ ହୋଇଥିବା ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରେ ତତ୍କାଳୀନ କାନପୁର ନଗର ଅନ୍ତର୍ଗତ ବାବୁପୂର୍ବର ସର୍କଲ ଇନସପେକ୍ଟର ଅବଦୁଲ ସାମଦ, ତତ୍କାଳୀନ କିଡୱାଇର ଏସଏଚ୍‌ଓ ଶ୍ରୀକାନ୍ତ ଶୁକ୍ଳା, ତତ୍କାଳୀନ ସବ ଇନସପେକ୍ଟର ତ୍ରିଲୋକି ସିଂହ, ତତ୍କାଳୀନ କନଷ୍ଟେବଲ ଛୋଟେ ସିଂହ ଓ ମହେରବାନ ସିଂହ ରହିଛନ୍ତି।
ଉକ୍ତ ଘଟଣା ପାଇଁ ପୁଲିସ୍‌ କର୍ମଚାରୀମାନେ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି। ସ୍ୱାଧିକର ଭଙ୍ଗ କମିଟିର ସୁପାରିସ ଆଧାରରେ ବିଧାନସଭା ପକ୍ଷରୁ ଏପରି ଦଣ୍ଡବିଧାନ କରାଯାଇଛି।

Leave a Reply

Your email address will not be published. Required fields are marked *