Spread the love

ନୂଆଦିଲ୍ଲୀ : ଫେରାର ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି। ମୁମ୍ବାଇ କୋର୍ଟରେ ତାଙ୍କୁ ଅର୍ଥନୀତି ପଳାତକ ବା ଫେରାର ଅର୍ଥନୀତିକ ଅପରାଧୀ ଭାବେ ଘୋଷଣା କରିବା ସହ ତାଙ୍କ ସମ୍ପତ୍ତି ଆଟାଚ କରିବା ପାଇଁ ଚାଲିଥିବା ମାମଲାର ଶୁଣାଣି ଉପରେ ରୋକ ଲଗାଇବାକୁ ସେ ଆବେଦନ କରିଥିଲେ। ହେଲେ ଆଜି ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି।
ଆଜି ଶୁଣାଣି ବେଳେ ବିଜୟ ମାଲ୍ୟାଙ୍କ ଓକିଲ କହିଥିଲେ ସେ ତାଙ୍କ କ୍ଲାଇଣ୍ଟ ସହ କୌଣସି ପ୍ରକାରର ଯୋଗାଯୋଗ କରିପାରୁ ନାହାନ୍ତି। ଏହି ପ୍ରସଙ୍ଗରେ ତାଙ୍କ ଠାରୁ କୌଣସି ପ୍ରକାରର ପରାମର୍ଶ କିମ୍ବା ତଥ୍ୟ ମିଳୁନାହିଁ। ତେଣୁ ସେ ଆଉ ଏହି ମାମଲା ପରିଚାଳନା କରିବାକୁ ଚାହୁଁ ନାହାନ୍ତି। ଏକଥା ଶୁଣିବା ପରେ ପଳାତକ ଘୋଷିତ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରି ଦେଇଛନ୍ତି।
ଜଷ୍ଟିସ ଅଭୟ ଏସ୍‌ ଓକା ଓ ଜଷ୍ଟିସ ରାଜେଶ ବିନ୍ଦାଲଙ୍କ ଖଣ୍ଡପୀଠ ଆବେଦନକୁ ଅଗ୍ରାହ୍ୟ କରି ଶୁଣାଣିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।
୨୦୧୬ରେ ବିଜୟ ମାଲ୍ୟାର ଭାରତ ଛାଡ଼ି ବ୍ରିଟେନ ଚାଲି ଯାଇଛନ୍ତି। ତାଙ୍କ ନାଁରେ ୯ ହଜାର କୋଟି ଟଙ୍କାର ଋଣ ହେରଫେର ମାମଲା ରହିଛି। ଭାରତରେ ତାଙ୍କୁ ଖୋଜା ପଡ଼ିଥିବା ବେଳେ ସେ ବ୍ରିଟେନରେ ଆତ୍ମଗୋପନ କରିଛନ୍ତି। ବ୍ରିଟେନରୁ ତାଙ୍କୁ ଆଣିବା ପାଇଁ ଭାରତ ସରକାର ବାରମ୍ବାର ଯୋଜନା କରୁଥିଲେ ମଧ୍ୟ ଏଯାଏ କୌଣସି ପ୍ରକାରର ସୁଫଳ ମିଳିନାହିଁ।

Leave a Reply

Your email address will not be published. Required fields are marked *