Spread the love

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର(ଆଇଟିଆ)ରେ ଅଧ୍ୟନରତା ଜଣେ ଦ୍ଵିତୀୟ ବର୍ଷର ଛାତ୍ରୀ ହଷ୍ଟେଲ୍‌ ରୁମ୍‌ ଭିତରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଛାତ୍ରୀ ହେଲେ ନାଗେଶ୍ବରୀ ଗଣ୍ଡ (୨୦)।
ସୂଚନା ଅନୁସାରେ ନବରଂଗପୁର ଜିଲ୍ଲା ରାଇଘର ବ୍ଲକ ସରଗୁଲି ନିକଟସ୍ଥ ସାଲେଭଟା ଗ୍ରାମର ନାଗେଶ୍ୱରୀ ଗଣ୍ଡ ରେଫ୍ରିଜେଟର ଓ ଏୟାର କଣ୍ଡିସନିଂ (ଆରଆଣ୍ଡସି) ଟ୍ରେଡରେ ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ। ମେଧାବୀ ଛାତ୍ରୀ ଭାବେ ପରିଚିତ ନାଗେଶ୍ୱରୀ ମେଳାପି ଥିଲେ। କ୍ରୀଡା, ସାଂସ୍କୃତିକ ଇତ୍ୟାଦି କ୍ଷେତ୍ରରେ ମଧ୍ୟ ଜଣେ ଉତ୍ତମ ଛାତ୍ରୀ ଭାବେ ଅନୁଷ୍ଠାନରେ ଖ୍ୟାତି ଅର୍ଜନ କରିଥିଲେ। ସେ ସରକାରର ଶିଳ୍ପ ତାଲିମ ପ୍ରତିଷ୍ଠାନ ଭିତରେ ଥିବା ଅନ୍ୟ ୨ ଜଣ ଛାତ୍ରୀଙ୍କ ସହିତ ୨ ନମ୍ବର ହଷ୍ଟେଲ ରୁମ୍‌ରେ ରହୁଥିଲେ। ବୁଧବାର ସେ ଅନ୍ୟ ଦୁଇ ଜଣ ଛାତ୍ରୀଙ୍କ ସହ ମିଶି ଖାଇବା ପାଇଁ ମେସକୁ ଆସିଥିଲେ। ହସଖୁସିରେ ମଧ୍ୟ ରାତ୍ର ଭୋଜନ କରିଥିଲେ।
ତେବେ ନାଗେଶ୍ୱରୀ ପ୍ରଥମେ ଖାଇ ସାରି ଶୀଘ୍ର ହଷ୍ଟେଲ ରୁମକୁ ଆସି ଭିତର ପାର୍ଶ୍ବରୁ କବାଟ ବନ୍ଦ କରି ଦେଇଥିଲେ। କିଛି ସମୟ ପରେ ତାଙ୍କର ଦୁଇ ଜଣ ସାଙ୍ଗ ଆସି କବାଟ ବାଡେଇଥିଲେ। କିନ୍ତୁ ନାଗେଶ୍ବରୀ କବାଟ ଖୋଲି ନଥିଲେ। ନାଗେଶ୍ବରୀ ଶୋଇ ପଡ଼ିଥିବ ଭାବି ସେମାନେ ଅନ୍ୟ ଏକ ରୁମ୍‌ରେ ଯାଇ ଶୋଇପଡ଼ିଥିଲେ। ତେବେ ସକାଳୁ ମାଟ୍ରନ୍‌ ଓ ହଷ୍ଟେଲ ଇନ୍ ଚାର୍ଜ ଆସି କବାଟ ବାଡେଇବା ସତ୍ତ୍ବେ ଖୋଲି ନଥିବାରୁ ଝରକା ଆଡୁ ଦେଖିବା ବେଳେ ନାଗେଶ୍ୱରୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ତୁରନ୍ତ ୨ ଜଣ କର୍ମଚାରୀ ଏବାବଦରେ ଅଧ୍ୟକ୍ଷଙ୍କୁ ଖବର ଦେଇଥିଲେ।

ଅଧ୍ୟକ୍ଷ ରବୀନ୍ଦ୍ର କୁମାର କର ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଇଆଇସି, ତହସିଲଦାର ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ରୁମ ଭିତରେ ପ୍ରବେଶ କରି ଦେଖିଲେ ନାଗେଶ୍ବରୀ ଓଢ଼ଣୀ ଲଗେଇ ଆତ୍ମହତ୍ୟା କରିଛନ୍ତି। ଛାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରି ଉମରକୋଟ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ପୁଲିସ ୨ ସହପାଠୀଙ୍କ ସହ କିଛି କର୍ମଚାରୀଙ୍କୁ ପଚାରଉଚରା କରିଛି ଓ ଅନୁସଂଧାନ ଜାରି ରଖିଛି। ସୂଚନାଯୋଗ୍ୟ ନାଗେଶ୍ୱରୀ ଦୀର୍ଘ ୨୦ ଦିନ ହେଲା ଘରକୁ ଯାଇ ଗତ ସୋମବାର ଦିନ ଅନୁଷ୍ଠାନକୁ ଫେରିଥିଲେ।

Leave a Reply

Your email address will not be published. Required fields are marked *