Spread the love

ଭୁବନେଶ୍ବର: ବିଧାନସଭା ଘେରାଉ ସମୟରେ ଧସ୍ତାଧସ୍ତି ଘଟଣାରେ ପୁଲିସ ଦ୍ବାରା ଗିରଫ ହୋଇଥିବା ବିଜେପି ଯୁବ ମୋର୍ଚ୍ଚା ନେତା ଓ କର୍ମୀମାନଙ୍କୁ ଗୁରୁବାର ଝାରପଡ଼ା ଜେଲ୍‌ରେ ଭେଟିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଦଳୀୟ ନେତା ଓ କର୍ମୀଙ୍କୁ ଭେଟିଲା ପରେ ଜୟନାରାୟଣ ମିଶ୍ର ଗଣମାଧ୍ୟମର ପ୍ରନିନିଧିଙ୍କୁ କହିଛନ୍ତି, ଗତ ୨୮ ତାରିଖ ଦିନ ଆନ୍ଦୋଳନରେ ସାମିଲ ନଥିବା ତଥା ଚା’ ଓ ପାଣି ଦେବା ପାଇଁ ଆସିଥିବା ଲୋକଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଛି। ପୁଲିସ ହାତରେ କ୍ଷମତା ଅଛି ବୋଲି ସେମାନେ ମାମଲା ରୁଜୁ କରିଛନ୍ତି। କିନ୍ତୁ ଆମେ ଦେଇଥିବା ଏଫଆଇଆର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ଓଡ଼ିଶା ପୁଲିସ ବିଜେଡ଼ିର କର୍ମୀ ଭଳି କାମ କରୁଛି। ଡିଜି ପ୍ରି ପ୍ଲାନ ବୋଲି କହୁଛନ୍ତି। ଯଦି ପ୍ରି ପ୍ଲାନ ହୋଇଥାନ୍ତା ତେବେ ପୁଲିସ ନିଜ ହାତରେ ଅଣ୍ଡା ଧରି ଦେଖାଇ ପାରିଥାନ୍ତା କି ? ବେକାର କଥା କହୁଛନ୍ତି ପୁଲିସ କର୍ମୀ। ନିଜେ ଅଣ୍ଡା ଆଣି ପକାଇଛନ୍ତି।
ଯୁବ ମୋର୍ଚ୍ଚା କର୍ମୀଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରାଯାଉଛି। ପୁଲିସର ଏମିତି କୁକର୍ମକୁ ନିନ୍ଦା କରୁଛି ବୋଲି କହିଲେ ଜୟ ନାରାୟଣ। ଯେଉଁମାନେ ବିନା ୟୁନିଫର୍ମରେ ଆସି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଗୋଇଠା ମାରିଛନ୍ତି ସେମାନେ ଅମଣିଷ। ସେମାନଙ୍କର ସାମାନ୍ୟତମ ମାନବିକତା ବୋଲି କିଛି ନାହିଁ। ଏମିତି କାମ ଯେଉଁ ସରକାର କରିଛନ୍ତି, ସେମାନେ ଯାଇଛନ୍ତି । ତେଣୁ ଏହି ସରକାରର ମଧ୍ୟ ଯିବା ସମୟ ଆସିଗଲାଣି ବୋଲି ଶ୍ରୀ ମିଶ୍ର କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି। ମୁଖ୍ୟମନ୍ତ୍ରୀ ଯେତେ ଯାଉଛନ୍ତି ଯାଆନ୍ତୁ, କିଛି ଫଳ ହେବ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭା ଆସିବା ପାଇଁ ସମୟ ନାହିଁ। ବମ୍ବେ ଯାଉଛନ୍ତି ପୁରସ୍କାର ନେବା ପାଇଁ ଏବଂ ନିଜେ ବ୍ୟବସ୍ଥା କରି ନିଜେ ପ୍ରାୟୋଜିତ ପୁରସ୍କାର ନେଉଛନ୍ତି। କେବଳ ପଶ୍ଚିମ ଓଡ଼ିଶା ନୁହେଁ, ଯୁଆଡେ ଗଲେ ବି ନବୀନ ବାବୁଙ୍କୁ ଆଉ କେହି ଗ୍ରହଣ କରିବେ ନାହିଁ। ତାଙ୍କର ସ୍ଥିତି ଓଡ଼ିଶାର କୌଣସି ଜାଗାରେ ନାହିଁ। ନିଜ ମନ୍ତ୍ରୀଙ୍କୁ ନିଜେ ହତ୍ୟା କରିବା ଘଟଣା ଗାଁ ଗାଁରେ ଲୋକ ଜାଣି ଗଲେଣି। କେନ୍ଦ୍ରୀୟ ଯୋଜନା ହଡ଼ପ, ଦୁର୍ନୀତି, ପିସି କାରବାର, ଯିଏ ବିରୋଧ କରିବ ତାକୁ ଜେଲରେ ପୁରେଇବା, ମିଛ କେସ ଦେବା ଭଳି ଅତ୍ୟାଚାର ଚାଲିଛି। ଏଥିପାଇଁ ଲୋକଙ୍କର ଏ ସରକାର ଉପରେ ଅସନ୍ତୋଷ ବଢ଼ିଲାଣି। ଖୁବଶୀଘ୍ର ଏ ସରକାର ଯାଉଛି।

Leave a Reply

Your email address will not be published. Required fields are marked *