Spread the love

ଭୁବନେଶ୍ବର : ଅଭିନେତା ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଅଭିନେତା ତଥା ସିନେ କଳାକାର ସଂଘ ସଂପାଦକ ଶ୍ରୀତମ ଦାସ। ସେ କହିଛନ୍ତି, ସରକାର ମୁଣ୍ଡ ପୂରାଇଥିଲେ ପିଣ୍ଟୁଙ୍କର ଏମିତି ଅକାଳ ମୃତ୍ୟୁ ହୋଇନଥା’ନ୍ତା। ଆମେ ଦେଖିଛନ୍ତି ସରକାର କିଛି ଅସୁସ୍ଥ ଅଫିସରଙ୍କୁ ଏୟାରଲିଫ୍ଟ କରି ରାଜ୍ୟ ବାହାରର ବଡ଼ ବଡ଼ ଡାକ୍ତରଖାନାକୁ ଉନ୍ନତ ଚିକିତ୍ସା ପାଇଁ ପଠାଇଥିଲେ। ପିଣ୍ଟୁଙ୍କ କ୍ଷେତ୍ରରେ ମଧ୍ୟ ଏହା କରାଯାଇପାରିଥା’ନ୍ତା। ସରକାର ଚାହିଁଲେ ସବୁ କିଛି ହୋଇପାରିବ।
ଶ୍ରୀତମ କହିଛନ୍ତି, ପିଣ୍ଟୁ ନନ୍ଦ ଅସୁସ୍ଥ ଅଛନ୍ତି। ସେଥିପାଇଁ କିଛି ସାହାଯ୍ୟ ଦରକାର ବୋଲି ସରକାରଙ୍କୁ କ’ଣ ଚିଠି ଲେଖି ଜଣାଇବାକୁ ପଡ଼ିଥା’ନ୍ତା ନା ଦାବିପତ୍ର ଦେବାକୁ ପଡ଼ିଥା’ନ୍ତା। ଏବେ ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ଯେଉଁ ସୂତ୍ରରୁ ମୁଖ୍ୟମନ୍ତ୍ରୀ ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ କଥା ଜାଣିଲେ, ସେହି ସୂତ୍ରରୁ ତାଙ୍କ ଅସୁସ୍ଥ କଥା ବି ଜାଣିପାରିଥା’ନ୍ତେ। ମାସେ କାଳ ପିଣ୍ଟୁ ନନ୍ଦ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ। ସେତେବେଳେ କ’ଣ ମୁଖ୍ୟମନ୍ତ୍ରୀ ଜାଣି ପାରିଲେନି। ଓଡ଼ିଶାର ସବୁ ଖବର ତାଙ୍କ ପାଖକୁ ଯାଉଛି। ଏ କଥାଟି କ’ଣ ଯାଇ ନଥିବେ? ତେଣୁ କଳାକାରଟିଏ ମରିଗଲା ପରେ କେବଳ ଶୋକ ଜଣାଇବାର କିଛି ମାନେ ନାହିଁ।
ସେ କହିଛନ୍ତି, ଆମେ ସବୁ ବେଳେ ଶୁଣୁଯେ ମୁଖ୍ୟମନ୍ତ୍ରୀ କାହା ସହିତ ମିଶନ୍ତି ନାହିଁ। ସେ କାହାକୁ ଦେଖା କରନ୍ତି ନାହିଁ। କିନ୍ତୁ ଆମେ ଦେଖିବାକୁ ପାଉଛୁ ଯେ ବାହାରୁ ଆସୁଥିବା କଳାକାର ଓ ଖେଳାଳିମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉପହାର ଭାବେ ଟି-ଶର୍ଟ ଆଦି ଦେଉଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ କେବେ ବି ଆମ କଳାକାରମାନଙ୍କୁ ନେଇ ଗଠନ ହୋଇଥିବା କୌଣସି ସଂଘର ସଦସ୍ୟଙ୍କୁ ଭେଟି ନାହାନ୍ତି କି ସେମାନଙ୍କ ସୁବିଧା, ଅସୁବିଧା ସଂପର୍କରେ ପଚାରି ବୁଝି ନାହାନ୍ତି। ଆମେ ବି ଚାହୁଁ ଯେ ଘରର ମୁଖିଆ (ମୁଖ୍ୟମନ୍ତ୍ରୀ)ଙ୍କ ନିକଟରେ ଆମ ସମସ୍ୟା କହିବାକୁ। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହୋଇପାରିଲା ନାହିଁ।
ମନୋରଞ୍ଜନ ଜଗତ ସହିତ ଜଡ଼ିତ ଲୋକଙ୍କ ପାଇଁ ଏକ ପାଣ୍ଠି ଗଠନ କରିବାକୁ ଶ୍ରୀତମ ଦାସ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଏକ ପାଣ୍ଠି ଗଠନ କରାଯାଉ। ସେଥିରୁ ଯେଉଁ ସୁଧ ମିଳିବ, ତାକୁ କୌଣସି କଳାକାର ବା ଟେକ୍ନିସିଆନ ବଡ଼ ରୋଗରେ ପଡ଼ିଲେ ଖର୍ଚ୍ଚ କରାଯାଇପାରିବ। ସେହିପରି ଯଦି ମୁଖ୍ୟମନ୍ତ୍ରୀ ଆମ କଥା ଶୁଣିପାରିବେ ନାହିଁ, ତା’ହେଲେ ଏକ ସଂସ୍ଥା ଗଠନ କରନ୍ତୁ, ଯେଉଁଠି ଆମେ ଆମ କଥା ରଖିପାରିବୁ।
ସୂଚନାଯୋଗ୍ୟ, ଯକୃତ ରୋଗରେ ପୀଡ଼ିତ ହୋଇ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଅଭିନେତା ପିଣ୍ଟୁ ନନ୍ଦଙ୍କର ବୁଧବାର ରାତି ୧୧ଟା ୨୫ରେ ପରଲୋକ ହୋଇଥିଲା। ଡୋନର ନ ମିଳିବାରୁ ତାଙ୍କର ଯକୃତ ପ୍ରତିରୋପଣ ହୋଇପାରି ନଥିଲା।

Leave a Reply

Your email address will not be published. Required fields are marked *