Spread the love

ଫ୍ରାନ୍ସ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ଜଣେ ମଣିଷଙ୍କ ଶରୀରରେ ଶାମୋଣ୍ଡା ଭାଇରସ୍ ସଂକ୍ରମଣ ଚିହ୍ନଟ ହୋଇଛି । ପୂର୍ବରୁ କେବଳ ପଶୁମାନଙ୍କ ଶରୀରରେ ଏହି ଭୂତାଣୁ ଠାବ କରାଯାଇଥିବା ବେଳେ ମଣିଷଙ୍କଠାରେ ସଂକ୍ରମଣର ଏହା ପ୍ରଥମ ଘଟଣା । ତେବେ ଦୁର୍ଭାଗ୍ୟବଶତଃ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଧାନୋମ୍ ଘେବ୍ରେୟେସସ୍ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।

WHO ମହାନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ସଂକ୍ରମିତ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲା । ଫଳରେ ସେ ସଂକ୍ରମଣ ଓ ଗୁରୁତର ଅସୁସ୍ଥତାର ଅଧିକ ବିପଦରେ ଥିଲେ। ତାଙ୍କ ମୃତ୍ୟୁରେ ଡକ୍ଟର ଟେଡ୍ରୋସ୍ ଗଭୀର ଶୋକ ପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଶାମୋଣ୍ଡା ଭାଇରସ୍ ମୁଖ୍ୟତଃ ଗାଈ, ମେଣ୍ଢା, ଛେଳି ଓ ଘୋଡ଼ା ଭଳି ପଶୁଙ୍କୁ ସଂକ୍ରମିତ କରିଥାଏ । ‘ମିଜ୍’ ନାମକ ଏକ କ୍ଷୁଦ୍ର ମାଛି ସଦୃଶ କୀଟ କାମୁଡ଼ିବା ଦ୍ୱାରା ଏହି ଭୂତାଣୁ ଗୋଟିଏ ପଶୁରୁ ଅନ୍ୟ ପଶୁକୁ ବ୍ୟାପୁଥିବା ଅନୁମାନ କରାଯାଉଛି । ତେବେ ଏହାର ସଂକ୍ରମଣ ପ୍ରକ୍ରିୟା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଅଧିକ ଗବେଷଣା ଆବଶ୍ୟକ । ଫ୍ରାନ୍ସର ଯେଉଁ ଅଞ୍ଚଳରେ ସଂକ୍ରମିତ ବ୍ୟକ୍ତି ରହୁଥିଲେ, ସେଠାରେ ପୂର୍ବରୁ ପଶୁମାନଙ୍କ ମଧ୍ୟରେ ଶାମୋଣ୍ଡା ଭାଇରସ୍ ବ୍ୟାପୁଥିଲା । ସେହି ଅଞ୍ଚଳରେ ଭୂତାଣୁ ବାହକ ହୋଇପାରୁଥିବା କୁଲିକୋଇଡିସ୍ ପ୍ରଜାତିର କ୍ଷୁଦ୍ର କୀଟ ମଧ୍ୟ ଥିଲେ ।

ଅନ୍ୟପଟେ ଏହି ପ୍ରଥମ ମାନବ ସଂକ୍ରମଣର ଉତ୍ସ କ’ଣ, ଭୂତାଣୁ କିପରି ମଣିଷ ଶରୀରରେ ପ୍ରବେଶ କଲା ଏବଂ ଏହା ଜନସ୍ୱାସ୍ଥ୍ୟ ପାଇଁ କେତେ ବିପଦ ସୃଷ୍ଟି କରିପାରେ, ସେନେଇ ତଦନ୍ତ ଚାଲିଛି । WHO ଫ୍ରାନ୍ସର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି । ତେବେ ଶାମୋଣ୍ଡା ଭାଇରସ୍ ମଣିଷରୁ ମଣିଷକୁ ସଂକ୍ରମିତ ହୋଇପାରେ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ଘଟଣାକୁ ନେଇ ଅଧିକ ବୈଜ୍ଞାନିକ ଅନୁଧ୍ୟାନ ଜାରି ରହିଛି ।

Leave a Reply

Your email address will not be published. Required fields are marked *