Spread the love

ତିବ୍ଦତ: ତିବ୍ଦତରେ ଭୟଙ୍କର ଭୂମିକମ୍ପ । ୧୬ ମୃତ, ୪୦ରୁ ଅଧିକ ଆହତ । ଭୁଶୁଡିଲା ଶହ ଶହ ଘର । ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରେକର୍ଡ କରାଯାଇଥିଲା । ଭୂକମ୍ପର ତୀବ୍ରତା ଏତେ ଅଧିକ ଥିଲା ଅଞ୍ଚଳର ୩୦୦ରୁ ଅଧିକ ଘର ଓ କୋଠାବାଡ଼ି ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି । ଭାରତୀୟ ସମୟ ଅନୁସାରେ ଗୁରୁବାର ରାତି ପ୍ରାୟ ୮ଟା ୦୩ ମିନିଟ୍ ରେ ଏହି ଶକ୍ତିଶାଳୀ ଝଟ୍ କା ଅନୁଭୂତ ହୋଇଥିଲା । ଉତ୍ତର ତିବ୍ଦତର ନାଗକୁ ଅଞ୍ଚଳସ୍ଥିତ ବାଚେନ୍ ନିକଟରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ଏହା ରାଜଧାନୀ ଲାହାସାଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଅବସ୍ଥିତ ।

ଭୂକମ୍ପର ଗଭୀରତା ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଥିବା କୁହାଯାଇଛି । ଗଭୀରତା କମ୍ ଥିବାରୁ ଭୂପୃଷ୍ଠରେ ଏହାର ପ୍ରଭାବ ବେଶ୍ ଭୟାନକ ରହିଥିଲା । ନାଗକୁ ସମେତ ଆଖପାଖ ଅଞ୍ଚଳର ଶତାଧିକ ମାଟି ଓ ପଥର ନିର୍ମିତ ବାସଗୃହ ମାଟିରେ ମିଶିଯାଇଛି । ଅନେକ ଲୋକ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବାରୁ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯାଇଛି । ସ୍ଥାନୀୟ ପ୍ରଶାସନ, ସେନା ଓ ବିପର୍ଯ୍ୟୟ ପରିଚାଳନା ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହ ଆହତମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରୁଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିବାର ଆଶଙ୍କା କରାଯାଉଛି । ପ୍ରଥମ ଶକ୍ତିଶାଳୀ ଭୂକମ୍ପର କିଛି ସମୟ ପରେ ସେହି ଅଞ୍ଚଳରେ ପୁନର୍ବାର ଆଫ୍ଟରସକ୍ ଅନୁଭୂତ ହୋଇଥିଲା ।

ଭାରତୀୟ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଅରୁଣାଚଳ ପ୍ରଦେଶ ସୀମାନ୍ତ ନିକଟବର୍ତ୍ତୀ ତିବ୍ଦତ ଅଞ୍ଚଳରେ ୫.୨ ତୀବ୍ରତାର ଆଉ ଏକ ଭୂକମ୍ପ ରେକର୍ଡ ହୋଇଛି, ଯାହାର ପ୍ରଭାବରେ ସୀମାନ୍ତବର୍ତ୍ତୀ କିଛି ଭାରତୀୟ ଅଞ୍ଚଳରେ ମଧ୍ୟ ହାଲୁକା କମ୍ପନ ଅନୁଭୂତ ହୋଇଥିଲା । ହିମାଳୟ ପାର୍ବତ୍ୟାଞ୍ଚଳ ଭାରତୀୟ ଏବଂ ୟୁରେସୀୟ ଟେକ୍ଟୋନିକ୍ ପ୍ଲେଟର ସଂଯୋଗସ୍ଥଳରେ ଅବସ୍ଥିତ । ଏହି ଦୁଇ ପ୍ଲେଟ ମଧ୍ୟରେ ନିରନ୍ତର ଚାପ ଓ ଘର୍ଷଣ ଯୋଗୁଁ ଏହି ଅଞ୍ଚଳ ଅତ୍ୟନ୍ତ ଭୂକମ୍ପପ୍ରବଣ ଭାବେ ପରିଚିତ । ଗତ କିଛି ସପ୍ତାହ ତଳେ ତିବ୍ଦତ-ନେପାଳ ସୀମାରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଏବେ ଏହି ପ୍ରଳୟଙ୍କରୀ ଭୂମିକମ୍ପ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି ।

Leave a Reply

Your email address will not be published. Required fields are marked *