ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍ବିଆଇ)ର ଡାଟା ସେଣ୍ଟର ଉପରେ ବୁଧବାର ସାଇବର ଆକ୍ରମଣ ହୋଇଛି। ହ୍ୟାକରମାନେ ଏସ୍ବିଆଇର ୩୮୯୭ଜଣ ଉପଭୋକ୍ତାଙ୍କ ତଥ୍ୟ ଚୋରି କରିଥିବା ଏସ୍ବିଆଇ ତରଫରୁ ସୂଚନା ପ୍ରଦାନ କରାଯାଇଛି।ଏସ୍ବିଆଇ ତରଫରୁ ମିଳିଥିବା ସୂଚନାନୁଯାୟୀ ଉପଭୋକ୍ତାଙ୍କ ନାମ, ମୋବାଇଲ୍ ନମ୍ବର, ଜନ୍ମତାରିଖ, ଇମେଲ୍, ଠିକଣା, ଋଣ ସଂକ୍ରାନ୍ତୀୟ ତଥ୍ୟ ଚୋରି ହୋଇଛି। ଏହି ଘଟଣାର ତଦନ୍ତ ପାଇଁ ବ୍ୟାଙ୍କ ତରଫରୁ ଏକ ସାଇବର ସୁରକ୍ଷା ଏଜେନ୍ସିକୁ ନିୟୋଜିତ କରାଯାଇଛି।
ତେବେ ଏହି ତଥ୍ୟ ଚୋରି ବ୍ୟାଙ୍କର ବ୍ୟବସାୟ, ଆର୍ଥିକ କାରବାର ଉପରେ ପ୍ରଭାବ ପକାଇବ ନାହିଁ। ଏହି ସୁରକ୍ଷା ଏଜେନ୍ସି କେଉଁ ହ୍ୟାକର୍ ଗ୍ରୁପ୍ ତଥ୍ୟ ଚୋରିରେ ସଂପୃକ୍ତ, ତଥ୍ୟ ଚୋରି ଯୋଗୁଁ ଉପଭୋକ୍ତା ଏବଂ ବ୍ୟାଙ୍କ ଉପରେ ଏହାର କେଉଁ ପ୍ରକାର କୁପ୍ରଭାବ ପଡ଼ିବ ତାହା ଆକଳନ କରିବ। ସାଇବର ଆକ୍ରମଣଜନିତ ପରିସ୍ଥିତି ଉପରେ ବ୍ୟାଙ୍କ ତରଫରୁ ନଜର ରଖାଯାଇଛି ଏବଂ ଏଭଳି ଆକ୍ରମଣରୁ କିଭଳି ଉପଭୋକ୍ତାଙ୍କ ତଥ୍ୟକୁ ସୁରକ୍ଷିତ ରଖାଯାଇ ପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଯୋଜନା ପ୍ରସ୍ତୁତ କରଯାଉଛି।