ପେଶାୱର: ପାକିସ୍ତାନରେ ଏକ ଘରୋଇ ସ୍କୁଲର ଛାତ ଭୁଶୁଡ଼ି ପଡ଼ିଛି । ପେଶାୱରର ଦିର କଲୋନୀରେ ଏଖ ଘରୋଇ ସ୍କୁଲର ଛାତ ଭୁଶୁଡି ପଡିଛି । ଏଥିରେ ୨୯ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଶିକ୍ଷୟିତ୍ରୀ ମଧ୍ୟ ଅଛନ୍ତି । ଏହି ଘଟଣା ପରେ ହସ୍ପିଟାଲରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିବା ବେଳେ ଏହା ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।
ପାକିସ୍ତାନୀ ଖବର ଅନୁଯାୟୀ, ଘଟଣାରେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି । ମୃତ ଛାତ୍ରମାନଙ୍କ ବୟସ ୧୩ ବର୍ଷ କିମ୍ବା ତା’ଠାରୁ କମ୍ ଥିଲା । ଏହି ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ୪୦ ଜଣ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।
ପାକିସ୍ତାନରେ ଘର ଓ କୋଠା ଭୁଶୁଡ଼ିବା ଘଟଣା ବାରମ୍ବାର ଘଟୁଛି । ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ଏବଂ ସୁରକ୍ଷା ମାନଦଣ୍ଡ ପାଳନରେ ଅବହେଳା ଏହାର ପ୍ରମୁଖ କାରଣ ବୋଲି ରିପୋର୍ଟରେ କୁହାଯାଇଛି ।
ଏହା ପୂର୍ବରୁ ଜୁଲାଇ ମାସରେ ଉମରକୋଟ ନିକଟରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାହାର କାନ୍ଥର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା । ଘଟଣାରେ ୩ରୁ ୧୩ ବର୍ଷ ବୟସର ତିନି ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସେହି ମାସରେ ଲାହୋରର ବାଗବାନପୁରା ଅଞ୍ଚଳରେ ଏକ ଘରୋଇ ସ୍କୁଲର ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିଥିଲା । ଏଥିରେ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଅତି କମ୍ରେ ପାଞ୍ଚ ଜଣ ଆହତ ହୋଇଥିଲେ । ଲାହୋରର କାହନା ଅଞ୍ଚଳରେ ଏକ ଘରୋଇ ଟ୍ୟୁସନ୍ ସେଣ୍ଟରର ଛାତ ଭୁଶୁଡ଼ି ୧୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା ।