Spread the love

ନୂଆଦିଲ୍ଲୀ : ନେପାଳ ପ୍ରଧାନମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି ।  ଭାରତ ଆସିବେ ନେପାଳ ପିଏମ୍ ।  ନେପାଳ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ନେବା ପରେ ବାଲେନ ଶାହ ତାଙ୍କର ପ୍ରଥମ ବୈଦେଶିକ ଗସ୍ତ ପାଇଁ ଭାରତକୁ ବାଛିଛନ୍ତି ।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସିଧାସଳଖ ଆଲୋଚନା ଏବଂ ଆନୁଷ୍ଠାନିକ ନିମନ୍ତ୍ରଣ ପରେ ୨୦୨୬ ନଭେମ୍ବର ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି । ବୈଦେଶିକ କୂଟନୀତିଜ୍ଞମାନଙ୍କ ପ୍ରତି ଶାହାଙ୍କର ପୂର୍ବରୁ ଥିବା ମନୋଭାବ ଏବଂ ଭାରତ ସହିତ ସୀମା ବିବାଦକୁ ନେଇ ଅତୀତର ସମାଲୋଚନାକୁ ଦେଖିଲେ, ଏହି ନିଷ୍ପତ୍ତିକୁ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୀତିକ ପଦକ୍ଷେପ ବୋଲି କୁହାଯାଇପାରେ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ପରମ୍ପରାକୁ ଭାଙ୍ଗିଛନ୍ତି ବାଲେନ, ଓଲି ପ୍ରଥମେ ଚୀନ ଗସ୍ତ କରିଥିଲେ।

ଭାରତ-ନେପାଳ ସମ୍ପର୍କ ହେବ ଆହୁରି ମଜବୁତ୍
ଚୀନ୍ ପରିବର୍ତ୍ତେ ଭାରତକୁ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ପାଇଁ ବାଛିବା ଦ୍ୱାରା ନେପାଳର କୂଟନୈତିକ ପ୍ରାଥମିକତାରେ ଏକ ବଡ଼ ପରିବର୍ତ୍ତନ ଦୃଶ୍ୟମାନ ହେଉଛି। ପୂର୍ବରୁ ବୈଦେଶିକ ପ୍ରତିନିଧି ଏବଂ ଦୂତମାନଙ୍କ ସହ ଏକାନ୍ତ ଆଲୋଚନାକୁ ଏଡ଼ାଇ ଦେଉଥିବା ବାଲେନଙ୍କ ଏହି ଦିଲ୍ଲୀ ଗସ୍ତ ତାଙ୍କ କୂଟନୈତିକ କାର୍ଯ୍ୟଶୈଳୀରେ ବ୍ୟବହାରିକ ପରିବର୍ତ୍ତନ ଆଣିଥିବା ସୂଚାଉଛି।

ନେପାଳ-ଭାରତ ମଧ୍ୟରେ କମୁଛି ତିକ୍ତତା, ମଜବୁତ ହେଉଛି ସହଯୋଗ
୨୦୨୬ ଅଗଷ୍ଟରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟା ପରେ ଭାରତ ତୁରନ୍ତ ପ୍ରାୟ ୫୦ ଟନ୍ ର ଜରୁରୀକାଳୀନ ସାମଗ୍ରୀ, ଔଷଧ ଏବଂ ଉଦ୍ଧାରକାରୀ ଦଳ ପଠାଇଥିଲା। ଏହି ସହାୟତା ଦୁଇ ଦେଶ ମଧ୍ୟରେ କୂଟନୀତିକ ସଦଭାବନାକୁ ପୁନର୍ବାର ସୁଦୃଢ଼ କରିଥିଲା। ଜୁନ୍ ୨୦୨୬ ରେ, ନେପାଳର ଶାସକ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ସଭାପତି ରବି ଲାମିଛାନେ ନୂଆଦିଲ୍ଲୀ ଗସ୍ତ କରି ବାଲେନଙ୍କ ଗସ୍ତ ପାଇଁ ରାଜନୈତିକ ଭିତ୍ତିଭୂମି ପ୍ରସ୍ତୁତ କରିଥିଲେ।

ସୁରକ୍ଷା ଓ ନିର୍ମାଣ ଉପରେ ରହିବ ଫୋକସ
ନୂଆଦିଲ୍ଲୀ ଗସ୍ତ ସମୟରେ ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପ୍ରତିନିଧି ମଣ୍ଡଳୀ ସ୍ତରୀୟ ଆଲୋଚନା କରିବେ ଏବଂ ଭାରତର ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ଭେଟିବେ। କିଛି ସମ୍ଭାବ୍ୟ ପ୍ରକଳ୍ପର ଶୁଭାରମ୍ଭ, ଚୁକ୍ତିନାମା ଏବଂ ଉଦ୍ ଘାଟନ ପାଇଁ ଦୁଇ ଦେଶର ଅଧିକାରୀମାନେ ପରସ୍ପର ମଧ୍ୟରେ ତାଲିକା ବିନିମୟ କରିସାରିଛନ୍ତି।ଉତ୍ତର ପ୍ରଦେଶ ସୀମା ନିକଟରେ ଥିବା ଭୈରହୱା ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟର ଶୁଭାରମ୍ଭ, ଦୋଧାରା ଚାନ୍ଦନୀ ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟ ନିର୍ମାଣ କାର୍ଯ୍ୟର ଆରମ୍ଭ, ଦାର୍ଚୁଲା ଜିଲ୍ଲା ଏବଂ ମହାକାଳୀ ନଦୀ ଉପରେ ନୂତନ ସେତୁ ନିର୍ମାଣ ଭଳି ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା ହେବ ।

ଲିପୁଲେଖ ବିବାଦରେ ପଡ଼ିପାରେ ପୂର୍ଣ୍ଣଚ୍ଛେଦ
ଭାରତ ଏବଂ ନେପାଳ ମଧ୍ୟରେ ପ୍ରାୟ ୧,୮୫୦ କିଲୋମିଟର ଲମ୍ବର ସୀମାରେଖା ରହିଛି, ଯାହାର ଅଧିକାଂଶ ଭାଗ ସମାଧାନ ହୋଇସାରିଥିଲେ ମଧ୍ୟ ଏହି କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନେଇ ଦୀର୍ଘ ଦିନ ହେବ ବିବାଦ ଚାଲିଆସୁଛି। ୨୦୨୦ ମସିହାରେ ଭାରତ ଲିପୁଲେଖ ପାସ୍ ପର୍ଯ୍ୟନ୍ତ ଏକ ନୂତନ ଲିଙ୍କ୍ ରୋଡ୍ ଉଦ୍ ଘାଟନ କରିବା ପରେ ନେପାଳ ଏହାକୁ ବିରୋଧ କରିଥିଲା। ଏହାର ଜବାବରେ ନେପାଳ ସରକାର ଏକ ନୂତନ ରାଜନୈତିକ ମାନଚିତ୍ର ଜାରି କରିଥିଲେ, ଯେଉଁଥିରେ କାଲାପାନି, ଲିମ୍ପିୟାଧୁରା ଏବଂ ଲିପୁଲେଖକୁ ନେପାଳର ଅଂଶ ଭାବେ ଦର୍ଶାଯାଇଥିଲା। ଭାରତ ଏହି ମାନଚିତ୍ରକୁ ଏକତରଫା ଏବଂ ଗ୍ରହଣଯୋଗ୍ୟ ନୁହେଁ ବୋଲି ପ୍ରତ୍ୟାଖ୍ୟାନ କରିଥିଲା। ବାଲେନ ଶାହାଙ୍କ ଭାରତ ଗସ୍ତ ସମୟରେ, ଦୁଇ ଦେଶର ବୈଷୟିକ କମିଟି ଏବଂ ସୀମା କାର୍ଯ୍ୟକାରୀ ଦଳ ମାଧ୍ୟମରେ ଏହି ସୀମା ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଲୋଚନା ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *