ନୂଆଦିଲ୍ଲୀ: ରିୟାଦର କିଙ୍ଗ ଖାଲିଦ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିବା ଭୟାବହ ହୁତି ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣ । ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ୪ ଜଣ ସାଉଦି ନାଗରିକ ଏବଂ ବାଂଲାଦେଶ, ଆମେରିକା, ଇଜିପ୍ଟ, ଜର୍ଡାନ, ସିରିଆ, ପାଲେଷ୍ଟାଇନ ଓ ସୁଦାନର ୮ ଜଣ ବିଦେଶୀ ନାଗରିକ ସାମିଲ ଅଛନ୍ତି । ୩୧୦ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆସୁଥିବା ଏବଂ ଯାଉଥିବା ବିମାନକୁ ବାତିଲ କରାଯାଇଛି କିମ୍ବା ଅନ୍ୟ ରୁଟ୍ କୁ ବଦଳାଇ ଦିଆଯାଇଛି । ଅନେକ ଗଲ୍ଫ ଏବଂ ଅନ୍ତର୍ଜାତୀୟ ଏୟାରଲାଇନ୍ସ ସେମାନଙ୍କର ସେବା ସ୍ଥଗିତ ରଖିଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିମାନବନ୍ଦରରେ ହଠାତ୍ ଏକ ବଡ଼ ବିସ୍ଫୋରଣ ଘଟିଥିଲା । ରିୟାଦ ସହରରେ ଅତିକମରେ ଦୁଇଟି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିବା ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି । ଘଟଣାସ୍ଥଳରେ ଅନେକ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ବିମାନବନ୍ଦରରେ ଜରୁରୀକାଳୀନ ବ୍ୟବସ୍ଥା କରାଯାଇଛି। ମାତ୍ର ଦୁଇଦିନ ପୂର୍ବରୁ, ଗୁରୁବାର ହୁତି ବିଦ୍ରୋହୀଙ୍କ କ୍ଷେପଣାସ୍ତ୍ର ଆକ୍ରମଣରେ ଏହି ବିମାନବନ୍ଦରରେ ତିନିଜଣ ସାଉଦି ନାଗରିକଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ସାଉଦି ଏୟାରଲାଇନ୍ସର ଜଣେ ପାଇଲଟ୍ ମଧ୍ୟ ଥିଲେ । ଆକ୍ରମଣରେ ଏକ ଯାତ୍ରୀବାହୀ ବିମାନ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଅନେକ ଲୋକ ଆହତ ହୋଇଥିଲେ ।
ଶନିବାରର ଆକ୍ରମଣ ପରେ ରିୟାଦ ବିମାନବନ୍ଦରରେ ବିମାନ ଚଳାଚଳ ଗୁରୁତର ପ୍ରଭାବିତ ହୋଇଛି । ଅନେକ ବିମାନ ବାତିଲ ହୋଇଥିବା ବେଳେ କେତେକ ବିମାନକୁ ଅନ୍ୟ ବିମାନବନ୍ଦରକୁ ପଠାଯାଇଛି । ବିମାନବନ୍ଦର କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ସମ୍ପୃକ୍ତ ଏୟାରଲାଇନ୍ସ ସହ ଯୋଗାଯୋଗ କରି ବିମାନର ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି । ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଗତ କିଛିଦିନ ଧରି ସାଉଦି ଆରବର ବିମାନବନ୍ଦର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ଟାର୍ଗେଟ କରୁଛନ୍ତି । ଗୁରୁବାରର ଆକ୍ରମଣ ପାଇଁ ହୁତି ସଂଗଠନ ଦାୟିତ୍ୱ ସ୍ୱୀକାର କରିଥିଲା । ତେବେ ଶନିବାରର ଆକ୍ରମଣ ସମ୍ପର୍କରେ ହୁତିଙ୍କ ପକ୍ଷରୁ ତୁରନ୍ତ କୌଣସି ଦାୟିତ୍ୱ ସ୍ୱୀକାର କରାଯାଇନାହିଁ । ୟେମେନରେ ସାଉଦି ସମର୍ଥିତ ସେନା ଓ ହୁତି ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ତୀବ୍ର ହେବା ସହ ସାଉଦି ଆରବରେ ମଧ୍ୟ ଆକ୍ରମଣ ବଢ଼ିଛି । ବାରମ୍ବାର ବିମାନବନ୍ଦରକୁ ଟାର୍ଗେଟ କରାଯିବା ଯୋଗୁଁ ଅନ୍ତର୍ଜାତୀୟ ବିମାନ ଯାତ୍ରା ଓ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି ।