ନୂଆଦିଲ୍ଲୀ : ମଝି ଆକାଶରେ ବିମାନରେ ଲାଗିଲା ନିଆଁ । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲା ଇଣ୍ଡିଗୋ ବିମାନ ଦିଲ୍ଲୀ-ଚେନ୍ନାଇ ଇଣ୍ଡିଗୋ ବିମାନ। ହାଇଦ୍ରାବାଦରେ ବିମାନର ଜରୁରୀ ଅବତରଣ। ବିମାନ ଉଡ଼ାଣ ଭରିବା ପରେ ଜଣେ ଯାତ୍ରୀଙ୍କର ଏକ ବୈଦ୍ୟୁତିକ ଉପକରଣରୁ ହଠାତ୍ ଧୂଆଁ ବାହାରିବା ଯୋଗୁଁ ବିମାନ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ତେବେ ପାଇଲଟ୍ ଏବଂ କ୍ରୁ ସଦସ୍ୟଙ୍କ ସତର୍କତା ଓ ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଛି ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଇଣ୍ଡିଗୋ ବିମାନ ସଂଖ୍ୟା 6E 6115 ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଚେନ୍ନାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ବିମାନଟି ମଧ୍ୟ-ଆକାଶରେ ଉଡ଼ୁଥିବା ସମୟରେ, ଏହାର ଓଭରହେଡ୍ ଲଗେଜ୍ କମ୍ପାର୍ଟମେଣ୍ଟରୁ ହଠାତ୍ ପୋଡ଼ା ଗନ୍ଧ ସହିତ ପ୍ରଚୁର ଧୂଆଁ ବାହାରିବାକୁ ଲାଗିଥିଲା।
ଏହାକୁ ଦେଖି ବିମାନ ମଧ୍ୟରେ ଥିବା ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। କ୍ୟାବିନ କ୍ରୁ ତୁରନ୍ତ ତଦନ୍ତ କରି ଜାଣିବାକୁ ପାଇଥିଲେ ଯେ, ଜଣେ ଯାତ୍ରୀଙ୍କ ବ୍ୟାଗରେ ରଖାଯାଇଥିବା ଏକ ପାୱାର ବ୍ୟାଙ୍କରୁ ଏହି ଧୂଆଁ ବାହାରୁଛି। ବୈଦ୍ୟୁତିକ ଉପକରଣଟି ଅତ୍ୟଧିକ ଗରମ ହେବା କିମ୍ବା ସର୍ଟ ସର୍କିଟ୍ ଯୋଗୁଁ ଏଥିରୁ ଧୂଆଁ ଏବଂ ସ୍ପାର୍କିଂ ହେବା ଆରମ୍ଭ ହୋଇଥିଲା। କର୍ମଚାରୀମାନେ ତୁରନ୍ତ ବିମାନରେ ଥିବା ଅଗ୍ନିନିର୍ବାପକ ଯନ୍ତ୍ର ସାହାଯ୍ୟରେ ସେହି ବ୍ୟାଗ୍ ଏବଂ ପାୱାର ବ୍ୟାଙ୍କ ଉପରେ ସ୍ପ୍ରେ କରିଥିଲେ।
ସେମାନଙ୍କର ତପ୍ତରତା ଯୋଗୁଁ ଧୂଆଁକୁ ଆଗକୁ ବଢ଼ିବାରୁ ରୋକାଯାଇପାରିଥିଲା ଏବଂ ସମ୍ଭାବ୍ୟ ନିଆଁକୁ ଆକାଶ ମାର୍ଗରେ ହିଁ ଆୟତ୍ତ କରାଯାଇଥିଲା।