Spread the love

ଭୁବନେଶ୍ବର: ଆସନ୍ତା ୮ ଅକ୍ଟୋବରରେ ରାଜନୈତିକ ଦଳ ପକ୍ଷରୁ ଓଡ଼ିଶା ବନ୍ଦକୁ ନଜରରେ ରଖି ରାଜ୍ୟରେ ଶାନ୍ତି-ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ସମ୍ଭାବ୍ୟ ବନ୍ଦ ପରିସ୍ଥିତିରେ ଆଇନ-ଶୃଙ୍ଖଳା ରକ୍ଷା, ଜନସାଧାରଣଙ୍କ ସୁରକ୍ଷା, ଯାତାୟାତ ବ୍ୟବସ୍ଥା ଓ ସରକାରୀ ତଥା ଜନସାଧାରଣଙ୍କ ସମ୍ପତ୍ତିର ସୁରକ୍ଷା ଉପରେ ଡିଜିପି ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସମସ୍ତ ଥାନା ଅଞ୍ଚଳରୁ ସୂଚନା ସଂଗ୍ରହ କରି ସ୍ଥାନୀୟ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ସମସ୍ତ ଜିଲ୍ଲା ଏସ୍ପିମାନଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।

ରାଜପଥ, ଜାତୀୟ ରାଜପଥ, ରେଳ ଷ୍ଟେସନ ଓ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ପର୍ଯ୍ୟାପ୍ତ ପୋଲିସ ମୁତୟନ ସହ ପାଟ୍ରୋଲିଂ ଓ ନାକା ଚେକିଂ ବୃଦ୍ଧି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିକ୍ଷୋଭକାରୀଙ୍କ ପ୍ରମୁଖ ସ୍ଥାନ ଚିହ୍ନଟ କରି ସେଠାରେ ଆଗୁଆ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ ଏବଂ ଗୁଇନ୍ଦା ସୂଚନାକୁ ସୁଦୃଢ଼ କରିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।

ବନ୍ଦ ସମୟରେ କୌଣସି ପ୍ରକାର ହିଂସା, ଭଙ୍ଗାରୁଜା, ବଳପୂର୍ବକ ଦୋକାନ ବଜାର ବନ୍ଦ କିମ୍ବା ସାଧାରଣ ଯାତାୟାତରେ ବାଧା ସୃଷ୍ଟି ଯେପରି ନହୁଏ, ସେଥିପ୍ରତି ସତର୍କ ରହିବାକୁ ସମସ୍ତ ଜିଲ୍ଲା ଏସ୍ପି ଓ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଇନ ହାତକୁ ନେଉଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ଓ ଦୃଢ଼ ଆଇନଗତ ପଦକ୍ଷେପ ନେବା ଦିଗରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।

ସମ୍ଭାବ୍ୟ ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ସ୍ଥାନୀୟ ପୋଲିସ ଅଧିକାରୀମାନେ ସମ୍ବେଦନଶୀଳ ଅଞ୍ଚଳରେ ନିରନ୍ତର ନଜର ରଖିବା ସହ ଜନସାଧାରଣଙ୍କ ସହ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଥିଲା। ରାଜ୍ୟରେ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ପରିବେଶ ବଜାୟ ରଖିବା ପାଇଁ ସମସ୍ତ ସ୍ତରରେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ରାଜେଶ କୁମାର, ଡିଆଇଜିପି (କାର୍ମିକ) ଯୁଗଳ କିଶୋର କୁମାର ବନୋଥ, ଡିଆଇଜିପି (କ୍ରାଇମବ୍ରାଞ୍ଚ) ମଡ଼କର ସନ୍ଦୀପ ସମ୍ପଦ, ଏସପି (କ୍ରାଇମବ୍ରାଞ୍ଚ) ବିବେକାନନ୍ଦ ଶର୍ମା, ଏଆଇଜିପି( ଆଇନ ଓ ଶୃଙ୍ଖଳା) ପ୍ରଭାଶଙ୍କର ନାୟକ ଏବଂ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ସମସ୍ତ ରେଞ୍ଜର ଆଇଜି/ଡିଆଇଜି, ସମସ୍ତ ଜିଲ୍ଲାର ଏସ୍ପି, ଡିସିପି ଭୁବନେଶ୍ୱର, ଡିସିପି କଟକ ଏବଂ ଏସ୍ଆର୍ପି କଟକ ଓ ରାଉରକେଲା ପ୍ରମୁଖ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୈଠକରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *