ନୂଆଦିଲ୍ଲୀ : ଦିଲ୍ଲୀର ସୀମାପୁରୀରେ ଭୁଶୁଡ଼ିଲା ୪ ମହଲା କୋଠା । ଭଗ୍ନାବଶେଷ ତଳେ ଅନେକ ଫସିଥିବା ଆଶଙ୍କା । ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି । ଭଗ୍ନାବଶେଷ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଜୋରଦାର ଉଦ୍ଧାର ଅଭିଯାନ ଚାଲିଛି ।
ଦିଲ୍ଲୀ ଫାୟାର ସର୍ଭିସ୍ କୁ ଅପରାହ୍ନ ପ୍ରାୟ ୩ଟା ୩୦ ମିନିଟ୍ ରେ କୋଠା ଭୁଶୁଡ଼ିବା ସମ୍ପର୍କରେ ଫୋନ୍ ଆସିଥିଲା । ଖବର ପାଇବା ପରେ ତୁରନ୍ତ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ଭଗ୍ନାବଶେଷ ତଳେ କେହି ଫସି ରହିଛନ୍ତି କି ନାହିଁ, ସେନେଇ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍ ଜାରି ରହିଛି । ଏପର୍ଯ୍ୟନ୍ତ କେତେ ଲୋକ ଆହତ ହୋଇଛନ୍ତି କିମ୍ବା ଫସିଛନ୍ତି, ତାହାର ସ୍ପଷ୍ଟ ସୂଚନା ମିଳିନାହିଁ । କୋଠାଟି କେଉଁ କାରଣରୁ ଭୁଶୁଡ଼ିଲା, ତାହା ମଧ୍ୟ ତୁରନ୍ତ ସ୍ପଷ୍ଟ ହୋଇନାହିଁ ।
ଏହାର ପ୍ରାୟ ଏକ ମାସ ପୂର୍ବରୁ ସେପ୍ଟେମ୍ବର ୬ରେ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ମରାମତି କାମ ଚାଲିଥିବା ସମୟରେ ଏକ ବଏଜ୍ PG କୋଠା ଭୁଶୁଡ଼ି ପଡ଼ିଥିଲା । ସେହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିଲେ । ସୀମାପୁରୀ ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ଥିବାରୁ ମୃତାହତଙ୍କ ସମ୍ପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ଏହାପୂର୍ବରୁ ଦିଲ୍ଲୀରେ ଅନେକ କୋଠା ଭୁଶୁଡିବା ମାମଲା ସାମ୍ନାକୁ ଆସିଛି । ୩୦ ମଇରେ କୋଚିଂ ସେଣ୍ଟ ଭୁଶୁଡି ପଡିଥିଲା । ଏହି ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଥିଲା । ୮ ଜୁଲାଇରେ ରୋହିଣୀ ସେକ୍ଟର-୧୬ରେ ନିର୍ମାଣାଧୀନ ୪ ମହଲା ବିଲିଡିଂ ଭୁଶୁଡିପଡିଥିଲା । ଏଥିରେ ୩ ଜଣଙ୍କ ଜୀବନ ଚାଲିଯାଇଥିଲା ।