Spread the love

ଭୁବନେଶ୍ୱର: ନଭେମ୍ବରରେ ପୋଲିସ SI ପରୀକ୍ଷା । ଓଡ଼ିଶା ପୋଲିସ SI ନିଯୁକ୍ତି ପରୀକ୍ଷାକୁ ନେଇ ପୁଣି ଆରମ୍ଭ ହେଉଛି ପ୍ରକ୍ରିୟା । OUSSSC ଅଧ୍ୟକ୍ଷ ରଶ୍ମିରଞ୍ଜନ ସ୍ୱାଇଁଙ୍କ ସୂଚନା ଅନୁସାରେ, ଆସନ୍ତା ୭ରୁ ୮ ଦିନ ମଧ୍ୟରେ ପରୀକ୍ଷା ସମ୍ପର୍କିତ ନୋଟିଫିକେସନ୍ ଆସିପାରେ । ନଭେମ୍ବରରେ ଲିଖିତ ପରୀକ୍ଷା କରି ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକୁ ଶୀଘ୍ର ଶେଷ କରିବା ଲକ୍ଷ୍ୟ ରହିଛି ।

ପ୍ରାର୍ଥୀଙ୍କ ତଥ୍ୟ ପୁନଃଯାଞ୍ଚ ପରେ ଆଡମିଟ୍ କାର୍ଡ ଜାରି ହେବ । ଏଥର ଅନଲାଇନ୍ ପରିବର୍ତ୍ତେ OMR ସିଟ୍ ରେ ପରୀକ୍ଷା ଏବଂ ତୃତୀୟ ପକ୍ଷ ସଂସ୍ଥା ବଦଳରେ କମିଶନ ନିଜେ ପରୀକ୍ଷା ପରିଚାଳନା କରିବ ବୋଲି ରିପୋର୍ଟ ରହିଛି । କିନ୍ତୁ ପୂର୍ବ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଓ ଅନିୟମିତତା ବିବାଦ ପରେ ଏଥର OUSSSC ପାଇଁ କେବଳ ପରୀକ୍ଷା କରାଇବା ନୁହେଁ, ପୂରା ପ୍ରକ୍ରିୟାର ବିଶ୍ୱସନୀୟତା ରକ୍ଷା କରିବା ମଧ୍ୟ ବଡ଼ ପରୀକ୍ଷା । ପୂର୍ବ ମାମଲାରେ ପ୍ରଶ୍ନପତ୍ର ଲିକ୍ ନେଇ ସଂଗଠିତ ନେଟୱର୍କର ଅଭିଯୋଗ ଉଠିଥିଲା ଏବଂ ମାମଲା CBI ତଦନ୍ତ ପର୍ଯ୍ୟନ୍ତ ଯାଇଥିଲା ।

ଏବେ OUSSSC ସାମ୍ନାରେ ରହିଛି ୫ ବଡ଼ ଚ୍ୟାଲେଞ୍ଜ । ପ୍ରଥମ ପ୍ରଶ୍ନପତ୍ରର ସୁରକ୍ଷା । ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଛପା, ପ୍ୟାକିଂ, ପରିବହନ ଏବଂ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟକୁ ସୁରକ୍ଷିତ ରଖିବାକୁ ହେବ । ପୂର୍ବ ବିବାଦ ପରେ ଏହି ବ୍ୟବସ୍ଥାରେ ସାମାନ୍ୟ ତ୍ରୁଟି ମଧ୍ୟ ବଡ଼ ପ୍ରଶ୍ନ ସୃଷ୍ଟି କରିପାରେ । ଦ୍ବିତୀୟ ଚ୍ୟାଲେଞ୍ଜ ଦଲାଲ ଓ ସଂଗଠିତ ରାକେଟ୍ କୁ ରୋକିବା । ପୂର୍ବ ମାମଲାରେ ପ୍ରାର୍ଥୀ, ମଧ୍ୟସ୍ଥ ଓ ପରୀକ୍ଷା ପରିଚାଳନା ସହ ଜଡ଼ିତ ବ୍ୟକ୍ତିଙ୍କୁ ନେଇ ସଂଗଠିତ ରାକେଟ୍ ର ଅଭିଯୋଗ ଆସିଥିଲା । ତେଣୁ ପରୀକ୍ଷା ପୂର୍ବରୁ ଦଲାଲ, ନକଲି ଚାକିରି ପ୍ରତିଶ୍ରୁତି ଓ ସନ୍ଦିଗ୍ଧ ନେଟୱର୍କ ଉପରେ ନଜର ରଖିବା ବଡ଼ ଚ୍ୟାଲେଞ୍ଜ । ତୃତୀୟ ଚ୍ୟାଲେଞ୍ଜ ପ୍ରାର୍ଥୀଙ୍କ ତଥ୍ୟର ଠିକ୍ ପୁନଃଯାଞ୍ଚ । ଦୀର୍ଘ ସମୟ ଧରି ପରୀକ୍ଷା ଅଟକିଥିବାରୁ ପୁରୁଣା ପ୍ରାର୍ଥୀଙ୍କ ମୋବାଇଲ୍ ନମ୍ବର, ଇ-ମେଲ୍ ଓ ଅନ୍ୟାନ୍ୟ ତଥ୍ୟ ପୁନଃଯାଞ୍ଚ କରାଯିବ । OTP ଜରିଆରେ ପ୍ରାର୍ଥୀଙ୍କୁ ତଥ୍ୟ ନିଶ୍ଚିତ କରିବାକୁ କୁହାଯିବ। ହଜାର ହଜାର ପ୍ରାର୍ଥୀଙ୍କ ତଥ୍ୟରେ ଯେପରି ଭୁଲ୍ ନହୁଏ ଏବଂ ଯୋଗ୍ୟ ପ୍ରାର୍ଥୀ ବାଦ୍ ନପଡ଼ନ୍ତି, ତାହା ନିଶ୍ଚିତ କରିବା ଆଉ ଏକ ବଡ଼ କାମ ।

ସେହିପରି ସ୍ୱଚ୍ଛ ପରୀକ୍ଷା କରି ପ୍ରାର୍ଥୀଙ୍କ ଭରସା ଫେରାଇବା ଚତୁର୍ଥ ବଡ଼ ଚ୍ୟାଲେଞ୍ଜ । ପୂର୍ବ ବିବାଦ ପରେ ପରୀକ୍ଷା ବ୍ୟବସ୍ଥା ଉପରେ ପ୍ରାର୍ଥୀଙ୍କ ଭରସା ଫେରାଇବା OUSSSC ପାଇଁ ସବୁଠାରୁ ବଡ଼ ଦାୟିତ୍ୱ ମଧ୍ୟରୁ ଗୋଟିଏ। ଏଥର OMR ସିଟ୍ ରେ ଏବଂ କମିଶନର ସିଧାସଳଖ ତତ୍ତ୍ୱାବଧାନରେ ପରୀକ୍ଷା କରିବା ଯୋଜନା ରହିଛି । ପରୀକ୍ଷା କେନ୍ଦ୍ରଠାରୁ ମୂଲ୍ୟାୟନ ପର୍ଯ୍ୟନ୍ତ ସ୍ୱଚ୍ଛତା ରଖିବା ଉପରେ ନଜର ରହିବ । କମ୍ ସମୟରେ ପୂରା ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ଆଉ ଏକ ଚ୍ୟାଲେଞ୍ଜ । ନୋଟିଫିକେସନ୍, ତଥ୍ୟ ପୁନଃଯାଞ୍ଚ, ଆଡମିଟ୍ କାର୍ଡ, ନଭେମ୍ବରରେ ଲିଖିତ ପରୀକ୍ଷା, ଫଳାଫଳ ଏବଂ ଶାରୀରିକ ପରୀକ୍ଷା—ଏସବୁ ପର୍ଯ୍ୟାୟକୁ ଅତି କମ୍ ସମୟ ମଧ୍ୟରେ ତ୍ରୁଟିମୁକ୍ତ ଭାବେ ସାରିବାକୁ ହେବ । ଡିସେମ୍ବର ସୁଦ୍ଧା ପ୍ରକ୍ରିୟାକୁ ଆଗେଇ ନେବାର ଲକ୍ଷ୍ୟ ଥିବାରୁ ଗତି ସହ ସ୍ୱଚ୍ଛତା ଓ ସୁରକ୍ଷାରେ ସନ୍ତୁଳନ ରଖିବା OUSSSC ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।

Leave a Reply

Your email address will not be published. Required fields are marked *