Spread the love

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାରା ପ୍ରଣୀତ ”ତ୍ରି-ଭାଷା ନୀତି” (ଥ୍ରୀ-ଲାଙ୍ଗୁଏଜ୍ ପଲିସି) ଲାଗୁ କରିବା ନେଇ ଗୁରୁବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଚଳିତ ଶିକ୍ଷାବର୍ଷରେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନୂତନ ଭାଷା ନୀତିକୁ ବାଧ୍ୟତାମୂଳକ ନକରି ଏଥିରୁ ଆଂଶିକ ଛାଡ଼ କିମ୍ବା ସ୍ୱେଚ୍ଛାକୃତ ବିକଳ୍ପ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ସିବିଏସଇକୁ ପରାମର୍ଶ ଦେଇଛନ୍ତି।
ଏହାଦ୍ୱାରା ଶିକ୍ଷାର୍ଥୀ ଏବଂ ସେମାନଙ୍କ ଅଭିଭାବକମାନେ ନୂତନ ପାଠ୍ୟକ୍ରମ ସହ ନିଜକୁ ଖାପଖୁଆଇବା ପାଇଁ ପର୍ଯ୍ୟାପ୍ତ ସମୟ ପାଇପାରିବେ। ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଶିକ୍ଷାର୍ଥୀମାନଙ୍କ ମାନସିକ ଚାପ କମାଇବା ଓ ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବ ଦିଆଯାଉଛି। ତେବେ ଏହା ନୀତିର ବୈଧତା ଉପରେ କୌଣସି ଅନ୍ତିମ ନିଷ୍ପତ୍ତି ନୁହେଁ। କୋର୍ଟଙ୍କ ପ୍ରସ୍ତାବ ଅନୁସାରେ, ତୃତୀୟ ଭାଷାର ବାଧ୍ୟତାମୂଳକ ନିୟମକୁ ପରବର୍ତ୍ତୀ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯାଇପାରେ। ସେହିପରି ଯେଉଁ ଶିକ୍ଷାର୍ଥୀମାନେ ଚଳିତ ବର୍ଷରୁ ହିଁ ତିନୋଟି ଭାଷା ପଢ଼ିବାକୁ ଆଗ୍ରହୀ, ସେମାନଙ୍କୁ ସେହି ସୁଯୋଗ ମଧ୍ୟ ଦିଆଯିବା ଉଚିତ୍।
ସିବିଏସଇ ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ୍ ଐଶ୍ୱର୍ଯ୍ୟା ଭାଟି କୋର୍ଟଙ୍କୁ ଜଣାଇଛନ୍ତି ଯେ, ବୋର୍ଡ ଏହି ପରାମର୍ଶ ଉପରେ ଗମ୍ଭୀରତାର ସହ ବିଚାର କରି ନିଜର ପକ୍ଷ ରଖିବ। ସୂଚନାଯୋଗ୍ୟ ଯେ, ସିବିଏସଇର ନୂଆ ଫ୍ରେମୱାର୍କ ଅନୁସାରେ ନବମ ଶ୍ରେଣୀ ଶିକ୍ଷାର୍ଥୀଙ୍କ ପାଇଁ ତିନୋଟି ଭାଷା (ଯେଉଁଥିରେ ଅନ୍ତତଃ ଦୁଇଟି ଭାରତୀୟ ଭାଷା) ଏବଂ ଷଷ୍ଠ ଶ୍ରେଣୀ ପାଇଁ ଦୁଇଟି ଭାରତୀୟ ଭାଷା ପଢ଼ିବା ବାଧ୍ୟତାମୂଳକ କରାଯାଇଛି। ବୋର୍ଡ ପକ୍ଷରୁ ଓଡ଼ିଆ, ହିନ୍ଦୀ, ସଂସ୍କୃତ, ତାମିଲ, ତେଲୁଗୁ, ବଙ୍ଗଳା ଆଦିକୁ ଭାରତୀୟ ଭାଷା ଏବଂ ଇଂରାଜୀ, ଫ୍ରେଞ୍ଚ, ଜର୍ମାନ ଆଦିକୁ ଅଣ-ଭାରତୀୟ ଭାଷା ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ନୀତିର ବାଧ୍ୟତାମୂଳକ କାର୍ଯ୍ୟକାରିତାକୁ ଆହ୍ୱାନ କରି ଆଗତ ହୋଇଥିବା ଆବେଦନ ଉପରେ କୋର୍ଟ କେନ୍ଦ୍ର ସରକାର, ସିବିଏସଇ ଓ ଏନସିଇଆରଟିକୁ ନୋଟିସ୍ ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *