ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ତିକ୍ତତା କମିବାର ନାଁ ନେଉନାହିଁ । ରୁଷ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ବଡ଼ ଧରଣର ଆକ୍ରମଣ କରିଛି । ଏହି ଆକ୍ରମଣରେ ଅତିକମରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ଆକ୍ରମଣ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଥିବା ଆବାସିକ କୋଠା ଓ ଅନ୍ୟାନ୍ୟ ଭିତ୍ତିଭୂମି ନଷ୍ଟ ହୋଇଛି । ଗତ ଦୁଇ ମାସ ମଧ୍ୟରେ ୟୁକ୍ରେନରେ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ।
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କହିବା ଅନୁସାରେ, ରୁଷ ଶନିବାର ସକାଳଠାରୁ ୟୁକ୍ରେନର ବିଭିନ୍ନ ସ୍ଥାନକୁ ପ୍ରାୟ ୫୦୦ ଡ୍ରୋନ୍ ମାଧ୍ୟମରେ ଟାର୍ଗେଟ କରିଛି । ଯୁଦ୍ଧକ୍ଷେତ୍ରରେ ଆଶାନୁରୂପ ସଫଳତା ନମିଳିବା ପରେ ରୁଷ ଏବେ ୟୁକ୍ରେନର ଅର୍ଥନୀତି ଓ ଭିତ୍ତିଭୂମିକୁ ଦୁର୍ବଳ କରିବା ଉପରେ ଗୁରୁତ୍ୱ ଦେଉଛି । ରୁଷ ସେନା ବ୍ୟକ୍ତିଗତ କାରଗୁଡ଼ିକୁ ଟାର୍ଗେଟ କରିଥିବା ଅଭିଯୋଗ ହୋଇଛି ।
ୟୁକ୍ରେନର ରାଜଧାନୀ କିଭର ପଶ୍ଚିମରେ ଥିବା ଜାଇଟୋମିର ଅଞ୍ଚଳରେ ମଧ୍ୟ ରୁଷ ଆକ୍ରମଣ କରିଛି । ଏହା ବ୍ୟତୀତ ଦୁଇଟି ପେଟ୍ରୋଲ ପମ୍ପ ଏବଂ ଏକ ବିଦେଶୀ ପୁଞ୍ଜିନିବେଶ ସହ ଜଡ଼ିତ କମ୍ପାନୀ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।
ରୁଷ ସେନା ପକ୍ଷରୁ କୁହାଯାଇଛି ଯେ, ଜାପୋରିଜିଆର ଇସ୍ପାତ ଉତ୍ପାଦନ କାରଖାନା, ଡିନିପ୍ରୋର ଇଣ୍ଟରପାଇପ୍ ଷ୍ଟିଲ୍ କମ୍ପ୍ଲେକ୍ସ ଏବଂ କ୍ରିଭି ରିହର ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇଥିଲା । ରୁଷ ନିୟନ୍ତ୍ରଣରେ ଥିବା ଡୋନେଟ୍ସଙ୍କ ଅଞ୍ଚଳରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ରୁଷ ପକ୍ଷରୁ ଦାବି କରାଯାଇଛି ।
ଏଭଳି ଭାବେ ରୁଷ ଓ ୟୁକ୍ରେନ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ଜାରି ରହିଥିବା ବେଳେ ଉଭୟ ଦେଶର ସାଧାରଣ ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି ।