ସାଣ୍ଟିଆଗୋ: ଚିଲିର ଆରାଉକାନିଆ ଅଞ୍ଚଳର ପିତ୍ରୁଫ୍କେନ୍ ସହରରେ ଥିବା ଏକ ନର୍ସିଂ ହୋମ୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୬ ଜଣ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ ଶନିବାର ସକାଳେ ନିଆଁକୁ ଆୟତ୍ତ କରାଯାଇଥିଲା। ଘଟଣାସ୍ଥଳ ରାଜଧାନୀ ସାଣ୍ଟିଆଗୋଠାରୁ ପ୍ରାୟ ୬୪୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣାର ତଦନ୍ତ କରୁଥିବା ଜର୍ଜ ଗ୍ରାନାଡା କହିଛନ୍ତି, ଅଗ୍ନିକାଣ୍ଡରେ କୌଣସି ତୃତୀୟ ପକ୍ଷର ସମ୍ପୃକ୍ତି ଅଛି କି ନାହିଁ, ତାହା ଯାଞ୍ଚ କରାଯାଉଛି। ନର୍ସିଂ ହୋମ୍ର ମାଲିକମାନଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯାଇଛି। ଚିଲିର ରାଷ୍ଟ୍ରପତି ଜୋସେ ଆଣ୍ଟୋନିଓ କାଷ୍ଟ୍ ଘଟଣାରେ ଶୋକ ପ୍ରକାଶ କରିବା ସହ ଦେଶର ସମସ୍ତ ନର୍ସିଂ ହୋମ୍ର ସ୍ଥିତି ଯାଞ୍ଚ ପାଇଁ ଜରୁରୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।