Spread the love

ଭୁବନେଶ୍ବର : ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପରେ FCI ସମସ୍ୟା କଥା ଉଠାଇଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ମନ୍ତ୍ରୀ କହିଛନ୍ତି, FCI ଚାଉଳ ଉଠାଉନଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି । କାରଣ ମିଲ୍ ଖାଲି ନହେଲେ ଖରିଫ୍ ଧାନ କିଣା ହେବ କେମିତି ? ପୂର୍ବରୁ କମ୍ ଚାଷ ହେଉଥିଲା, ଏବେ ଧାନ ଚାଷ ବଢ଼ିଛି । ସରକାର ଧାନ କ୍ବିଣ୍ଟାଲ ପିଛା ୩୧ ଶହ ଟଙ୍କା ଦେଉଥିବାରୁ ଚାଷୀଙ୍କ ଆଗ୍ରହ ବଢ଼ିଛି । FCI ଧାନ ଉଠାଇବା ନେଇ କେନ୍ଦ୍ର ସହ ପ୍ରତିଦିନ ଆଲୋଚନା ଚାଲିଛି । ଏହି ସମସ୍ୟାର ସମାଧାନ କରାଯିବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ।

ସେପଟେ ଯୋଗାଣ ମନ୍ତ୍ରୀଙ୍କ ଏଫସିଆଇ ଚାଉଳ ଉଠାଉନି ମନ୍ତବ୍ୟକୁ ନେଇ ଜୋର ଧରିଛି ରାଜନୀତି । କେନ୍ଦ୍ରରେ ଖୋଦ୍ ବିଜେପି ସରକାର ଥିବାବେଳେ ଯୋଗାଣ ମନ୍ତ୍ରୀଙ୍କ ଅସହାୟତାକୁ ନେଇ ବିରୋଧୀ ନିଶାନା କରିଥିଲେ । ଯୋଗାଣ ନିଗମର ୪୭ତମ ବାର୍ଷିକ ଉତ୍ସବରେ ଏଫସିଆଇର ଜିଏମ୍ଙ୍କ ସାମ୍ନାରେ ଏବଂ ଭରା ସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜର କ୍ଷୋଭ ପ୍ରକାଶ କରି କହିଥିଲେ, ଏଫସିଆଇ ବେଳେ ବେଳେ ଆମକୁ ଧପେଇ ଦେଉଛି । ମୁଁ ବାରମ୍ବାର ଦିଲ୍ଲୀ ଯାଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟୁଛି । ହେଲେ ଚାଉଳ ଉଠାଣ ହେଉନାହିଁ । କ’ଣ ପାଇଁ ଅନ୍ୟ ରାଜ୍ୟ ପ୍ରତି ଦରଦ ବଢୁଛି ହେଲେ ଆମ ରାଜ୍ୟ ପାଇଁ ଏଭଳି ମନୋଭାବ ବୋଲି ମନ୍ତ୍ରୀ ପ୍ରଶ୍ନ କରିଥିଲେ । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବାବେଳେ ଖୋଦ୍ ଯୋଗାଣ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ଗଣ୍ଠି କରିଛନ୍ତି ବିରୋଧୀ । ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ସରକାରର ଅଡୁଆ ବଢାଇ ଦେଇଛି । ମନ୍ତ୍ରୀ ଏକଥା ବି କହିଛନ୍ତି, ଆଉ ଥରେ ହାଇ ଲେଭେଲ ଟିମ୍ ନେଇ କେନ୍ଦ୍ର ପାଖରେ ବସିବାକୁ ପଡ଼ିବ । କାରଣ ଚାଉଳ ନ ଉଠିଲେ ପୁଣି ଥରେ ଧାନ କିଣିବା କଷ୍ଟକର ହୋଇପଡିବ ।

ଡବଲ ଇଞ୍ଜିନ ସରକାରରେ ମନ୍ତ୍ରୀଙ୍କ ଏପରି ଅସହାୟତା ବିରୋଧୀଙ୍କୁ ବଳ ଦେଇଥିଲା । ବିଜେଡି କହିଥିଲା, ଯାହା ଆମେ ପୂର୍ବରୁ ଅଭିଯୋଗ କରୁଥିଲୁ ତାକୁ ମନ୍ତ୍ରୀ ମାନିଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କୁ ୭ ଥର ରାଜ୍ୟର ଯୋଗାଣ ମନ୍ତ୍ରୀ ଭେଟିଲେଣି । ତଥାପି କେନ୍ଦ୍ର ସରକାର ରାଜ୍ୟ କଥା ଶୁଣୁନାହାନ୍ତି । ମନ୍ତ୍ରୀ ଯେଉଁ ଭୟଙ୍କର କଥା ସ୍ୱୀକାର କରିଛନ୍ତି ତାକୁ ଓଡ଼ିଶା ବିଧାନସଭାରେ ଉଠାଇବାକୁ ବିଜେଡି ମନ୍ତ୍ରୀଙ୍କୁ ଆହ୍ୱାନ ଦେଇଥିଲା।

ସେହିପରି କଂଗ୍ରେସ କହିଥିଲା, ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ହେଲେ ଲୋକଙ୍କ କାମ ହେଉ ନାହିଁ। ଯାହା କି ଯୋଗାଣ ମନ୍ତ୍ରୀଙ୍କ ବୟାନରୁ ଜଣା ପଡୁଛି । ଆଗକୁ ଖରିଫ ଧାନ ସଂଗ୍ରହ ହେବାକୁ ଅଛି । ଯଦି ବର୍ତ୍ତମାନ ଏଫସିଆଇ ଚାଉଳ ଉଠାଇବ ନାହିଁ ତାହାଲେ କେମିତି ଧାନ ଉଠିବ ବୋଲି ପ୍ରଶ୍ନ କରିଥିଲା କଂଗ୍ରେସ । ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ବିବାଦ ବଢିବା ପରେ ସାମ୍ନାକୁ ଆସି ପୁଣି ବିରୋଧୀଙ୍କୁ ପାଲଟା ଜବାବ ଦେଇଥିଲେ ନିଜେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଥିଲେ, ଯେଉଁ ଚାଉଳ ଉଠାଇବାକୁ ଟାର୍ଗେଟ ରହିଛି, ଏଫସିଆଇ ଧୀରେ ଧୀରେ ତାହା ଉଠାଇ ନେବ । ଏତେ ବର୍ଷ ଶାସନ କରି ମଧ୍ୟ ରାଜ୍ୟରେ ଚାଷୀଙ୍କୁ ଶହେ ଟଙ୍କା ମଧ୍ୟ ଦେଇ ପାରିନଥିଲେ ବିଜେଡି ସରକାର । ଗରିବ ଚାଷୀଙ୍କ ପାଇଁ ମୋହନ ସରକାର କାମ କରୁଛନ୍ତି । ଯାହା ବିରୋଧୀଙ୍କ ଦେହରେ ଯାଉନାହିଁ ।

ଅଗଷ୍ଟ ଶେଷ ସୁଦ୍ଧା ଏଫସିଆଇ ୧୮ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବା ବଦଳରେ ମାତ୍ର ୬ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇଛି । ତେଣୁ ଖରିଫ ଧାନ ଉଠାଣ ବେଳେ ଏହା ବାଧକ ସାଜିବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *