Spread the love

ନୂଆଦିଲ୍ଲୀ: ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ । ମହାକାଶ କ୍ଷେତ୍ରରେ ଭାରତକୁ ମିଳିଛି ଆଉ ଏକ ବଡ଼ ସଫଳତା । ଶୁକ୍ରବାର ଭୋର ୨ଟା ୫୫ ମିନିଟ୍ ରେ ଇସ୍ରୋର GSLV-F17 ରକେଟ୍ ମହାକାଶକୁ ସଫଳତାର ସହ ଉଡ଼ାଣ ଭରିଛି । ଏହି ରକେଟ୍ ରେ ପଠାଯାଇଥିବା EOS-05 ଉପଗ୍ରହକୁ ନିର୍ଦ୍ଧାରିତ କକ୍ଷପଥରେ ସଫଳତାର ସହ ପହଞ୍ଚାଇ ଦିଆଯାଇଛି । ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଉତକ୍ଷେପଣ ସ୍ଥଳରୁ ହାଲୁକା ବର୍ଷା ମଧ୍ୟରେ ରକେଟଟି ଉଡ଼ାଣ ଭରିଥିଲା ।

ଏହି ରକେଟର ଉଚ୍ଚତା ୫୧.୭ ମିଟର ଏବଂ ଉତକ୍ଷେପଣ ସମୟରେ ଏହାର ମୋଟ ଓଜନ ପ୍ରାୟ ୪୨୦.୫ ଟନ୍ ଥିଲା । EOS-05 ଉପଗ୍ରହର ଓଜନ ପ୍ରାୟ ୨,୩୬୭ କିଲୋଗ୍ରାମ । ଏହାକୁ GISAT-1A ନାମରେ ମଧ୍ୟ ଜଣାଯାଏ ।  ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନଙ୍କ କହିବା ଅନୁସାରେ, ରକେଟ୍ ଅତ୍ୟନ୍ତ ସଠିକ୍ ଭାବେ ଉପଗ୍ରହକୁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇଛି । ଉପଗ୍ରହ ଠିକ୍ ଠାକ୍ ଅବସ୍ଥାରେ ରହିଛି । ଏହାର ସୌର ପ୍ୟାନେଲ୍ ମଧ୍ୟ ଖୋଲିସାରିଛି। ଏହା GSLV ରକେଟ୍ ର ୧୯ତମ ଉଡ଼ାଣ। ସେହିପରି ଶ୍ରୀହରିକୋଟାରୁ ଏହା ୧୦୭ତମ ରକେଟ୍ ଉତକ୍ଷେପଣ ।

EOS-05 ହେଉଛି ମହାକାଶରୁ ଭାରତର ଫଟୋ ଉଠାଇବା ପାଇଁ ତିଆରି ହୋଇଥିବା ଏକ ସ୍ୱତନ୍ତ୍ର ଉପଗ୍ରହ । ଏହା ପୃଥିବୀଠାରୁ ପ୍ରାୟ ୩୬ ହଜାର କିଲୋମିଟର ଉପରେ ରହି ଭାରତ ଓ ଏହାର ଆଖପାଖ ଅଞ୍ଚଳ ଉପରେ ନଜର ରଖିପାରିବ । ସାଧାରଣ ଉପଗ୍ରହ ଗୋଟିଏ ଅଞ୍ଚଳ ଉପର ଦେଇ ଯିବା ପରେ ପୁଣି ସେଠାକୁ ଫେରିବା ପାଇଁ କିଛି ସମୟ ନେଇଥାଏ । କିନ୍ତୁ EOS-05 ଗୋଟିଏ ବିସ୍ତୃତ ଅଞ୍ଚଳ ଉପରେ ଲଗାତାର ନଜର ରଖିପାରିବ । ଫଳରେ ଗୋଟିଏ ସ୍ଥାନର ପରିସ୍ଥିତି କିପରି ବଦଳୁଛି, ତାହାର ଚିତ୍ର ବାରମ୍ବାର ମିଳିପାରିବ ।

ଆବଶ୍ୟକ ହେଲେ କେତେକ ନିର୍ଦ୍ଦିଷ୍ଟ ସ୍ଥାନର ନୂଆ ଚିତ୍ର ପ୍ରାୟ ପ୍ରତି ୫ ମିନିଟ୍ ରେ ମିଳିପାରିବ । ସେହିପରି ସମଗ୍ର ଭାରତୀୟ ଭୂଖଣ୍ଡର ଚିତ୍ର ପ୍ରାୟ ପ୍ରତି ୩୦ ମିନିଟ୍ ରେ ମିଳିବ । EOS-05ରୁ ମିଳୁଥିବା ଚିତ୍ର ଅନେକ କାମରେ ବ୍ୟବହାର ହେବ । ବାତ୍ୟା କେଉଁ ଦିଗକୁ ଯାଉଛି, ବନ୍ୟାରେ କେଉଁ ଅଞ୍ଚଳ ପ୍ରଭାବିତ ହୋଇଛି, କେଉଁଠି ଜଙ୍ଗଲରେ ନିଆଁ ଲାଗିଛି ? ଏସବୁ ଉପରେ ନଜର ରଖିବାରେ ଏହି ଉପଗ୍ରହ ସହାୟକ ହେବ।

ଏହା ସହିତ ଚାଷବାସ, ପାଣିପାଗ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ତଥ୍ୟ ପାଇବାରେ ମଧ୍ୟ ଏହା ସାହାଯ୍ୟ କରିବ । ବିଶେଷକରି ବାତ୍ୟା ଓ ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ଘନଘନ ଚିତ୍ର ମିଳିଲେ ପରିସ୍ଥିତି ବୁଝିବା ଏବଂ ଉଦ୍ଧାର କାମର ଯୋଜନା କରିବା ସହଜ ହେବ । EOS-05 ଏବେ ତାହାର ଶେଷ କକ୍ଷପଥରେ ପହଞ୍ଚିନାହିଁ । GSLV-F17 ଏହାକୁ ପୃଥିବୀଠାରୁ ସର୍ବନିମ୍ନ ପ୍ରାୟ ୧୭୦ କିଲୋମିଟର ଏବଂ ସର୍ବାଧିକ ପ୍ରାୟ ୨୮,୯୩୪ କିଲୋମିଟର ଉଚ୍ଚତା ବିଶିଷ୍ଟ ଏକ କକ୍ଷପଥରେ ଛାଡ଼ିଛି । ଏବେ ଉପଗ୍ରହ ନିଜ ଇଞ୍ଜିନ୍ ବ୍ୟବହାର କରି ଧୀରେ ଧୀରେ ଆହୁରି ଉପରକୁ ଉଠିବ ।

ପ୍ରାୟ ୩୬ ହଜାର କିଲୋମିଟର ଉଚ୍ଚରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବା ପରେ ଏହାର ବିଭିନ୍ନ ଯନ୍ତ୍ରପାତିର ପରୀକ୍ଷା କରାଯିବ। ସବୁକିଛି ଠିକ୍ ଥିବା ନିଶ୍ଚିତ ହେବା ପରେ ନିୟମିତ ଭାବେ ଚିତ୍ର ଓ ତଥ୍ୟ ମିଳିବା ଆରମ୍ଭ ହେବ । EOS-05 ପୂର୍ବରୁ ଏହିଭଳି କାମ ପାଇଁ GISAT-1 ବା EOS-03 ଉପଗ୍ରହକୁ ୧୨ ଅଗଷ୍ଟ ୨୦୨୧ରେ ମହାକାଶକୁ ପଠାଇବାକୁ ଉଦ୍ୟମ ହୋଇଥିଲା । କିନ୍ତୁ GSLV-F10 ରକେଟ୍ ର ଶେଷ ପର୍ଯ୍ୟାୟର ଇଞ୍ଜିନ୍ ଚାଲୁ ନହେବାରୁ ସେହି ଅଭିଯାନ ସଫଳ ହୋଇପାରିନଥିଲା ।

୫ ବର୍ଷ ପରେ EOS-05ର ସଫଳ ଉତକ୍ଷେପଣ ସହ ଇସ୍ରୋ ସେହି ଅଧୁରା ଲକ୍ଷ୍ୟକୁ ପୂରଣ କରିବା ଦିଗରେ ବଡ଼ ସଫଳତା ହାସଲ କରିଛି । ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ କହିଛନ୍ତି ମିଶନ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି । GSLV-F17 ଯାନ ଅତ୍ୟାଧୁନିକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ EOS-05 କୁ ନିର୍ଦ୍ଧାରିତ କକ୍ଷପଥରେ ସଠିକ୍ ଭାବେ ଅବସ୍ଥାପିତ କରିଛି । ​ସେ ସ୍ପଷ୍ଟ କରିଛନ୍ତି ଯେ ଉପଗ୍ରହର ସୌର ପ୍ୟାନେଲ୍ ସଫଳତାର ସହ ଖୋଲିଯାଇଛି । ଏହାର ସମସ୍ତ ଯନ୍ତ୍ରାଂଶ ସମ୍ପୂର୍ଣ୍ଣ ଭାବେ ସଠିକ୍ ରହିଛି । ଆଗାମୀ କିଛି ଦିନ ମଧ୍ୟରେ ଅନବୋର୍ଡ ଥ୍ରଷ୍ଟର ବ୍ୟବହାର କରି ଏହାକୁ ଧୀରେ ଧୀରେ ଚୂଡ଼ାନ୍ତ ଭୂ-ସ୍ଥିର କକ୍ଷପଥକୁ ଉଚ୍ଚତାକୁ ନିଆଯିବ ବୋଲି କହିଛନ୍ତି ନାରାୟଣନ ।

Leave a Reply

Your email address will not be published. Required fields are marked *