ଜଗତସିଂହପୁର: ଆକ୍ସନ ମୋଡ଼ରେ ପ୍ରଶାସନ । ୧୭୦ ବସ୍ତା ନକଲି ସାର ଜବତ । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗାରେଇରେ ଚଢାଉ କରି ୧୭୦ ବସ୍ତା ସାର ଜବତ କରିଛି ପ୍ରଶାସନ । ଅନେକ ସମୟରେ ପୁରୀରୁ ଚୋରାରେ ସାର ଆସି ଜଗତସିଂହପୁରର ବିଭିନ୍ନ ବ୍ଲକକୁ ଚାଲାଣ କରାଯାଉଛି । ଖବରପାଇ ଚଢାଉ କରିବା ପରେ ୧୭୦ ବସ୍ତା ନକଲି ସାର ମିଳିଛି। ବେଆଇନ ଭାବେ ସାର ଗଚ୍ଛିତ ରଖିବା ଓ ବିକ୍ରି ସମ୍ପର୍କରେ ବିଭାଗ ପକ୍ଷରୁ ଅଧିକ ଯାଞ୍ଚ ଜାରି ରହିଛି । ସମସ୍ତ ୧୭୦ ବସ୍ତା ସାରକୁ ଜବତ କରିବା ସହିତ ତାର ମାନ ପରୀକ୍ଷା ପାଇଁ ପଠାଯାଇଛି । ଲାବ୍ରୋଟୋରି ପରୀକ୍ଷା ରିପୋର୍ଟ ଆସିବା ଯାଏ ନିକଟସ୍ଥ ଡେରିକି ପ୍ରାଥମିକ କୃଷି ସମବାୟ ସମିତିରେ ଏହି ସାରକୁ ଗଛିତ ରଖାଯାଇଛି ।
ପୁରୀରୁ ନକଲି ସାର ଆଣି ଚାଷୀଙ୍କୁ ଚଢ଼ା ମୂଲ୍ୟରେ ବିକ୍ରି କରୁଛନ୍ତି କିଛି ବ୍ୟକ୍ତି । ପୁରୀ ଜିଲ୍ଲା ନୂଆହାଟର ଜଣେ ବ୍ୟବସାୟୀ ନକଲି ସାର ଜଗତସିଂହପୁର ଜିଲ୍ଲାକୁ ଯୋଗାଉ ଥିବା ବେଳେ ଅନେକ ବ୍ୟବସାୟୀ ଏବେ ଅତ୍ୟନ୍ତ ଚତୁରତାର ସହ ସାର ଗଛିତ ରଖି ବିକ୍ରି କରୁଛନ୍ତି । ନାଉଗାଁ ଅଂଚଳରେ ଏବେବି ଆହୁରି ଅନେକ ସାର ଚୋରା ଭାବେ ଗଛିତ ରହିଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ବର୍ତ୍ତମାନ ଚାଷ କାର୍ଯ୍ୟ ଚାଲିଥିବା ବେଳେ ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର ମିଳୁନାହିଁ । ଏହାର ସୁଯୋଗ ନେଇ ଚୋରା ବେପାରୀ ମାନେ ସକ୍ରିୟ ହୋଇ ଉଠିଛନ୍ତି । ନକଲି ସାର ସନ୍ଦେହରେ ଜବତ ସାରର ସାମ୍ପୁଲ ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯିବ ବୋଲି କୃଷି ଅଧିକାରିଣୀ ଯୁଗସ୍ମିତା ପାତ୍ର ପ୍ରକାଶ କହିଛନ୍ତି ।