ଗୁଡ଼ାରୀ : ରାୟଗଡ଼ା ଜିଲ୍ଲାର ଗୁଡ଼ାରୀ ବ୍ଲକରେ ପଞ୍ଚାୟତ ପ୍ରଶାସନ ବ୍ୟବସ୍ଥା ଏବେ ଗୁରୁତର ସଙ୍କଟ ଦେଇ ଗତି କରୁଛି। ୯ଟି ଗ୍ରାମ ପଞ୍ଚାୟତ ପାଇଁ ନିୟମ ଅନୁଯାୟୀ ୯ ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ରହିବା କଥା ଥିଲେ ମଧ୍ୟ ବର୍ତ୍ତମାନ ମାତ୍ର ୫ ଜଣ ପିଇଓଙ୍କ ଉପରେ ସମସ୍ତ ପଞ୍ଚାୟତର ଦାୟିତ୍ୱ ନ୍ୟସ୍ତ ହୋଇଛି। ଫଳରେ ପଞ୍ଚାୟତ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ସାଧାରଣ ଲୋକ ନାହିଁ ନଥିବା ହଇରାଣ ହେଉଛନ୍ତି। ଗୁଡ଼ାରୀ ବ୍ଲକର ଅଧିକାଂଶ ପଞ୍ଚାୟତ ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳରେ ଥିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଖାଲି ପଦବୀ ପୂରଣ କରାଯାଇ ନଥିବାରୁ ସରକାରୀ ଯୋଜନାର କାର୍ଯ୍ୟକାରିତା ପ୍ରଭାବିତ ହେଉଛି। ଭତ୍ତା ବଣ୍ଟନ ଓ ପିଡିଏସ୍ ଚାଉଳ ବଣ୍ଟନ ବ୍ୟତୀତ ଅନ୍ୟ ସମୟରେ ପଞ୍ଚାୟତ କାର୍ଯ୍ୟାଳୟରେ ପିଇଓଙ୍କ ଉପସ୍ଥିତି ପ୍ରାୟ ଦେଖିବାକୁ ମିଳୁନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଲୋକଙ୍କ କହିବା ଅନୁଯାୟୀ, କୌଣସି ସାଧାରଣ କାମ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଗଲେ ଅନେକ ସମୟରେ ତାଲା ପଡ଼ିଥିବା ଦେଖିବାକୁ ମିଳୁଛି। ଫଳରେ ଦୂରଦୂରାନ୍ତରୁ ଆସୁଥିବା ଗ୍ରାମବାସୀ ନିରାଶ ହୋଇ ଫେରୁଛନ୍ତି। ଏମ୍.କେ. ରାଇ ଓ କଦମା, କର୍ଲାଘାଟି ଓ ପେଣ୍ଡିଲି, ମଧୁବନ ଓ ସାନହୁମା, ଖାରିଗୁଡ଼ା ଓ ଶିରିଗୁଡ଼ା, ଅସଡ଼ା ଭଳି ଏକାଧିକ ପଞ୍ଚାୟତର ଦାୟିତ୍ୱ ଜଣେ ଜଣେ ପିଇଓଙ୍କୁ ଦିଆଯାଇଥିବାରୁ ପ୍ରଶାସନିକ କାର୍ଯ୍ୟ ସଠିକ୍ ଭାବେ ପରିଚାଳନା ହୋଇପାରୁନାହିଁ। କର୍ଲାଘାଟି, ପେଣ୍ଡିଲି, ମଧୁବନ, ଖାରିଗୁଡ଼ା, ଶିରିଗୁଡ଼ା ଓ କଦମା ପଞ୍ଚାୟତର ଅନେକ ଉପାନ୍ତ ଗ୍ରାମକୁ ଭଲ ରାସ୍ତା ନଥିବାରୁ ସେଠାରେ ସରକାରୀ ସେବା ପହଞ୍ଚାଇବା ଆହୁରି ବାଧାପ୍ରାପ୍ତ ହେଉଛି। ଏଭଳି ସ୍ଥିତିରେ ସରକାରଙ୍କ ଅନ୍ତିମ ବ୍ୟକ୍ତିଙ୍କ ପାଖରେ ସେବା ପହଞ୍ଚାଇବା ଲକ୍ଷ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ କେବେ ଏହି ପଦବୀ ପୂରଣ ହେବ ତାହା ସ୍ପଷ୍ଟ ହୋଇନଥିବାବେଳେ ପ୍ରତ୍ୟେକ ପଞ୍ଚାୟତରେ ତୁରନ୍ତ ପିଇଓ ନିଯୁକ୍ତି ପାଇଁ ସାଧାରଣରେ ଦୃଢ଼ ଦାବି ଉଠିଛି।