Spread the love

ନୂଆଦିଲ୍ଲୀ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦୀର୍ଘ ଦୁଇ ବର୍ଷ ପରେ ସ୍ୱଦେଶ ଫେରିବା ନେଇ ବଡ଼ ଘୋଷଣା କରିଛନ୍ତି। ବୁଧବାର ଦିନ ନିଜର ଏକ ସମ୍ବୋଧନରେ ସେ କହିଛନ୍ତି ଯେ ସେ ଆସନ୍ତା ଡିସେମ୍ବର ମାସରେ ବାଂଲାଦେଶ ଫେରିବେ। ଯଦିଓ ସେ ପ୍ରତ୍ୟାବର୍ତ୍ତନର କୌଣସି ସଠିକ୍ ତାରିଖ ଘୋଷଣା କରିନାହାନ୍ତି, ତଥାପି ଢାକାରେ ପହଞ୍ଚିବା ପରେ ତାଙ୍କୁ ଗିରଫ କିମ୍ବା ହତ୍ୟା କରାଯିବାର ଆଶଙ୍କା ଥିଲେ ମଧ୍ୟ ସେ ଏଥିରୁ ପଛଘୁଞ୍ଚା ଦେବେ ନାହିଁ ବୋଲି ଦୃଢ଼ତାର ସହ କହିଛନ୍ତି। ବିଗତ ଦୁଇ ବର୍ଷ ମଧ୍ୟରେ ଏହା ତାଙ୍କର ପ୍ରଥମ ସାର୍ବଜନୀନ ସମ୍ବୋଧନ ଅଟେ।

“ମୋ ନିଜ ପାଇଁ ନୁହେଁ, ଦେଶର ଭବିଷ୍ୟତ ପାଇଁ ଚିନ୍ତିତ” ହସିନା ନିଜର ଦୃଢ଼ ମନୋବଳ ପ୍ରକାଶ କରି କହିଛନ୍ତି, “ମୋତେ ଜେଲ୍ ପଠାଯାଇପାରେ କିମ୍ବା ହତ୍ୟା କରାଯାଇପାରେ, କିନ୍ତୁ ଭୟ ମୋର ଲୋକଙ୍କ ପ୍ରତି ଥିବା କର୍ତ୍ତବ୍ୟକୁ ଅଟକାଇ ପାରିବ ନାହିଁ। ୧୯୭୫ ମସିହାରେ ମୁଁ ମୋ ପରିବାରକୁ ହରାଇଥିଲି ଏବଂ ୬ ବର୍ଷ ନିର୍ବାସନରେ କଟାଇଥିଲି। ମୁଁ ମୋ ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ନୁହେଁ, ବରଂ ବାଂଲାଦେଶର ଭବିଷ୍ୟତ ପାଇଁ ଅଧିକ ଚିନ୍ତିତ।”

ହସିନା ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଫେରିବାର ଉଦ୍ଦେଶ୍ୟ କ୍ଷମତା ହାସଲ କରିବା ନୁହେଁ। ବାଂଲାଦେଶକୁ ପୁଣିଥରେ ବିକାଶର ପଥକୁ ଆଣିବା ଏବଂ ଲୋକମାନଙ୍କୁ ସୁରକ୍ଷା, ସମୃଦ୍ଧି ତଥା ଶାନ୍ତି ପ୍ରଦାନ କରିବା ତାଙ୍କର ମୂଳ ଲକ୍ଷ୍ୟ।

  • ସେ କହିଛନ୍ତି, “ବାଂଲାଦେଶର ଜନସାଧାରଣ ସୁରକ୍ଷା ଓ ବିକାଶର ହକ୍‌ଦାର୍। ମୋର ଫେରିବା କ୍ଷମତା ପାଇଁ ନୁହେଁ; ବାଂଲାଦେଶକୁ ଠିକ୍ ରାସ୍ତାକୁ ଆଣିବା ପାଇଁ।”

  • “ବିଗତ ଦୁଇ ବର୍ଷ ଧରି ମୋର ପ୍ରିୟ ବାଂଲାଦେଶ କଷ୍ଟ ଭୋଗୁଥିବାର ମୁଁ ଦେଖିଛି। ଆମେ ଗଢ଼ିଥିବା ଦେଶ ଏମିତି ନଥିଲା, କିମ୍ବା ୧୯୭୧ରେ ୩୦ ଲକ୍ଷ ଲୋକ ଏହି ବାଂଲାଦେଶ ପାଇଁ ବଳିଦାନ ଦେଇନଥିଲେ।”

ଗତ ଜୁଲାଇ-ଅଗଷ୍ଟ ୨୦୨୪ରେ ତାଙ୍କ ସରକାରର ପତନ ଘଟାଇଥିବା ଆନ୍ଦୋଳନକୁ ନେଇ ହସିନା ମୁହଁ ଖୋଲିଛନ୍ତି। ସେ ଦାବି କରିଛନ୍ତି ଯେ ଏହା ଏକ ଶାନ୍ତିପୂର୍ଣ୍ଣ ଛାତ୍ର ଆନ୍ଦୋଳନ ନଥିଲା। ଛାତ୍ରଛାତ୍ରୀମାନଙ୍କୁ ମୋହରା ବନାଇ ହିଂସା ତଥା ସରକାର ବଦଳାଇବା ପାଇଁ ଏହା ଏକ ସୁପରିକଳ୍ପିତ ଅଭିଯାନ ଥିଲା। ସେ ପ୍ରଶ୍ନ କରିଛନ୍ତି, “ଯେତେବେଳେ ପୋଲିସ୍ ଓ ସରକାରୀ କୋଠାରେ ନିଆଁ ଲଗାଇ ଲୁଟପାଟ୍ କରାଗଲା, ସେତେବେଳେ ଜୀବନ ଓ ସମ୍ପତ୍ତିର ସୁରକ୍ଷା କରିବା କ’ଣ ରାଷ୍ଟ୍ରର କର୍ତ୍ତବ୍ୟ ନୁହେଁ?” ୨୦୨୪ ଜୁଲାଇ ୧୮ରେ ଏହି ହିଂସାର ତଦନ୍ତ ପାଇଁ ସେ ଏକ ବିଚାର ବିଭାଗୀୟ କମିଶନ ଗଠନ କରିଥିବା କଥା ମଧ୍ୟ ସ୍ମରଣ କରାଇଦେଇଛନ୍ତି।

ଏହି ଅବସରରେ ଶେଖ୍ ହସିନା ଭାରତ ଏବଂ ବାଂଲାଦେଶର ସମ୍ପର୍କକୁ ପ୍ରଶଂସା କରିବା ସହ ଭାରତକୁ ଏକ “ମହାନ ବନ୍ଧୁ” ବୋଲି କହିଛନ୍ତି।

ଅନ୍ୟପକ୍ଷରେ, ହସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଭାରତ ସରକାର ଅବଗତ ଅଛନ୍ତି କି ନାହିଁ ବୋଲି ଏକ ପ୍ରଶ୍ନର ଉତ୍ତରରେ ତାଙ୍କ ପୁତ୍ର ସଜୀବ ୱାଜେଦ୍ ଜୟ କହିଛନ୍ତି ଯେ, ଏହି ଖବର ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି, ତେଣୁ ଭାରତରେ ସମସ୍ତେ ଏ ବିଷୟରେ ନିଶ୍ଚୟ ଜାଣିଥିବେ। ବିଗତ ଦୁଇ ବର୍ଷ ଧରି ହସିନାଙ୍କ ଭାରତ ରହଣି ବିଷୟରେ ସଜୀବ କହିଛନ୍ତି, “ଭାରତ ତାଙ୍କୁ ଜଣେ ରାଷ୍ଟ୍ରମୁଖ୍ୟଙ୍କ ପରି ଅତ୍ୟନ୍ତ ସମ୍ମାନ ଓ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ତାଙ୍କୁ ଯଥେଷ୍ଟ ସମ୍ମାନ ଦେଇଛନ୍ତି।”

Leave a Reply

Your email address will not be published. Required fields are marked *