ଭୁବନେଶ୍ୱର: ‘ନିଶାମୁକ୍ତ ଯୁବ – ବିକଶିତ ଭାରତ ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ ଅବସରରେ ଓଡ଼ିଶାକୁ ଏକ ସମ୍ପୂର୍ଣ୍ଣ ନିଶାମୁକ୍ତ ରାଜ୍ୟ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାର ଦୃଢ଼ ସଂକଳ୍ପ ଗ୍ରହଣ କରିଛନ୍ତି।
କଳିଙ୍ଗ ଷ୍ଟାଡିୟମ ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ‘ମାଇଁ ଭାରତ’ (MY Bharat) ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡା ଓ ଯୁବବ୍ୟାପାର ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଆଭାସୀ ମାଧ୍ୟମରେ ସାମିଲ ହୋଇଥିଲେ।
ରାଜ୍ୟପାଳ ଡଃ କମ୍ଭମପାଟି ଉପସ୍ଥିତ ସମସ୍ତଙ୍କୁ ନିଶାମୁକ୍ତ ଯୁବ – ବିକଶିତ ଭାରତ ସଂକଳ୍ପ ଅଭିଯାନ’ର ଶପଥପାଠ କରାଇଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଯୁବପିଢ଼ିକୁ ରାଷ୍ଟ୍ର ନିର୍ମାଣର ପ୍ରମୁଖ କର୍ଣ୍ଣଧାର ଭାବେ ଅଭିହିତ କରି ନିଶାମୁକ୍ତ ସମାଜ ଗଠନ ପାଇଁ କଳିଙ୍ଗ ଷ୍ଟାଡିୟମରୁ ଏକ ଓଜସ୍ୱୀ ଆହ୍ୱାନ ଦେଇଛନ୍ତି। ରାଜ୍ୟପାଳ କ୍ରୀଡ଼ା, ଫିଟନେସ୍, ଯୋଗ, ସଂସ୍କାର ଓ ସମାଜସେବାକୁ ନିଶାଶକ୍ତର ଶ୍ରେଷ୍ଠ ବିକଳ୍ପ ଭାବେ ବାଛିନେବାକୁ ଯୁବବର୍ଗଙ୍କୁ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଆଜି ଦେଶର ଏକ ପ୍ରମୁଖ କ୍ରୀଡ଼ା ଆବୋଡ୍ ଭାବେ ଉଭା ହୋଇଥିବା ବେଳେ ଯୁବପିଢ଼ି ନିଶା ପରିବର୍ତ୍ତେ ଖେଳପଡ଼ିଆ ଓ କ୍ଲାସରୁମ୍କୁ ଆପଣେଇ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। କେବଳ ସରକାରଙ୍କ ଉଦ୍ୟମ ଦ୍ୱାରା ନିଶାମୁକ୍ତ ସମାଜ ସମ୍ଭବ ନୁହେଁ; ପିତାମାତା, ଶିକ୍ଷକ, ସାମାଜିକ ଅନୁଷ୍ଠାନ ଓ ବିଶେଷ କରି ଯୁବପିଢ଼ି ନିଜେ ଏହି ଆନ୍ଦୋଳନର ବାର୍ତ୍ତାବହ ହୋଇ ବାହାରିଲେ ହିଁ ଏହା ଏକ ଯୁଗାନ୍ତକାରୀ ‘ଜନ-ଆନ୍ଦୋଳନ’ରେ ପରିଣତ ହୋଇପାରିବ ବୋଲି ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି।
ଯୁବବର୍ଗଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ଏହି ଅଭିଯାନ କୌଣସି ଗୋଟିଏ ଦିନର କାର୍ଯ୍ୟକ୍ରମ ନୁହେଁ ବରଂ ଆଗାମୀ ୧୦୦ ସପ୍ତାହ ଅର୍ଥାତ ଦୁଇ ବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଚାଲିବାକୁ ଥିବା ଏକ ବ୍ୟାପକ ସାମାଜିକ ଜନ-ଆନ୍ଦୋଳନ। ସୂଚନା ଯୋଗ୍ୟ, ଯେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭାସୀ ଉପସ୍ଥିତିରେ ଦେଶର ୧୦,୦୦୦ ରୁ ଅଧିକ ସ୍ଥାନରେ ୧ କୋଟିରୁ ଊର୍ଦ୍ଧ୍ୱ ଯୁବକଯୁବତୀ ଏକତ୍ରିତ ହୋଇ ଏକ ସୁସ୍ଥ, ଶୃଙ୍ଖଳିତ, ସଂସ୍କାରପୂର୍ଣ୍ଣ ଓ ନିଶାମୁକ୍ତ ଭାରତ ଗଠନ ପାଇଁ ଦୃଢ଼ ସଂକଳ୍ପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ପ୍ରଶଂସା କରି କହିଥିଲେ ଯେ, ୨୦४୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ‘Gen Z’ ପିଢ଼ି ଓ ଯୁବଶକ୍ତି ହିଁ ପ୍ରମୁଖ ବିଶ୍ୱକର୍ମା। ରାଜ୍ୟରେ ନିଶାଦ୍ରବ୍ୟର ବେଆଇନ୍ କାରବାର ଓ ସିଣ୍ଡିକେଟ୍ଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ଓଡ଼ିଶା ସରକାର ‘ଶୂନ୍ୟ ସହନଶୀଳତା’ (Zero Tolerance) ନୀତି ଆପଣାଇଛନ୍ତି। ଓଡ଼ିଶା ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ତଥ୍ୟ ଦେଇ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ଯେ, ଜୁଲାଇ ୨୦୨୪ ରୁ ଜୁନ୍ ୨୦୨୬ ମଧ୍ୟରେ ପୋଲିସ ପ୍ରାୟ ୧,୯୧୧ କୋଟି ଟଙ୍କା ମୂଲ୍ୟର ୬୩,୭୨୦ ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିଛି। ଏହାସହ ୨,୫୭୬ ଟି ମାମଲା ରୁଜୁ କରାଯାଇ ୩,୬୯୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୨,୧୦୬ କୋଟି ଟଙ୍କାର ୪୩୨ ଟନ୍ ଗଞ୍ଜେଇ ଜବତ କରାଯାଇଛି। କେବଳ ଆଇନଗତ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ନିଶାପୀଡ଼ିତଙ୍କ ପୁନରୁଦ୍ଧାର ଓ ପୁନର୍ବାସ ପାଇଁ ଚିକିତ୍ସା କେନ୍ଦ୍ରଗୁଡ଼ିକୁ ମଧ୍ୟ ସୁଦୃଢ଼ କରାଯାଉଛି। କୌଣସି ବି ଅଞ୍ଚଳରେ ସନ୍ଦେହଜନକ ନିଶା କାରବାର ନଜରକୁ ଆସିଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।