ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ (ପିଜି) ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟର ମାର୍କ ଆଧାରରେ କରାଯିବ।
୨୭ ଜୁଲାଇ ଅପରାହ୍ନ ୩.୦୦ ଘଟିକା ଠାରୁ ୨ ଅଗଷ୍ଟ ରାତି ୧୧.୪୫ ଘଟିକା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟଲକୁ ଯାଇ ନିଜ ପସନ୍ଦର ଉଚ୍ଚଶିକ୍ଷାନୁଷ୍ଠାନରେ ଆଡ଼ମିଶନ ପାଇଁ ଚଏସ୍ ଲକିଙ୍ଗ କରିପାରିବେ। ଅଗଷ୍ଟ ୭ ତାରିଖ ଅପରାହ୍ନ ୪ଟା ରେ ପ୍ରଥମ ମେଧା ତାଲିକା ପ୍ରକାଶିତ ହେବ। ପ୍ରଥମ ମେଧା ତାଲିକାରେ ଚୟନିତ ହୋଇଥିବା ଛାତ୍ରଛାତ୍ରୀମାନେ ୭ ଅଗଷ୍ଟ ସନ୍ଧ୍ୟା ୬ଟାରୁ ୧୧ ଅଗଷ୍ଟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସାମ୍ସ ପୋର୍ଟଲକୁ ଯାଇ ଫ୍ରିଜ୍/ସ୍ଲାଇଡ଼/ଫ୍ଲୋଟ୍ ବିକଳ୍ପ ବାଛିପାରିବେ।