Spread the love

ଲକ୍ଷ୍ନୌ: ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟିକୁ ପରାସ୍ତ କରିବା ପାଇଁ AIMIM ମୁଖ୍ୟ ଅସାଦୁଦ୍ଦିନ୍ ଓୱେସୀ  ସମାଜବାଦୀ ପାର୍ଟି (SP) ମୁଖ୍ୟ ଅଖିଳେଶ ଯାଦବଙ୍କୁ ଏକାଠି ନିର୍ବାଚନ ଲଢ଼ିବା ପାଇଁ ଆହ୍ୱାନ ଦେଇଛନ୍ତି। ମୋରାଦାବାଦଠାରେ ଅନୁଷ୍ଠିତ ଏକ ଜନସଭାରେ ସମ୍ବୋଧନ କରି ଓୱେସୀ ଏହି ପ୍ରସ୍ତାବ ରଖିଛନ୍ତି। ମୋରାଦାବାଦ ରାଲିରେ ଓୱେସୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସେ ବିଜେପିକୁ ଉତ୍ତର ପ୍ରଦେଶରେ ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଦେବାକୁ ଚାହୁଁନାହାଁନ୍ତି।

ସେ କହିଛନ୍ତି, ‘ମୁଁ ହାତ ମିଳାଇବାକୁ ଏବଂ ମେଣ୍ଟ କରିବାକୁ ପ୍ରସ୍ତୁତ। ଆଜି କଥାବାର୍ତ୍ତା କରିବାର ସମୟ। ନିର୍ବାଚନ ସରିବା ପରେ କାନ୍ଦିବେ ନାହିଁ। ଆପଣମାନେ କହୁଛନ୍ତି ଓୱେସୀ ନିର୍ବାଚନ ଲଢ଼ିଲେ ଭୋଟ୍ ବିଭାଜିତ ହୋଇ ଆପଣଙ୍କର କ୍ଷତି ହେଉଛି। ତେଣୁ ମୁଁ ଆପଣଙ୍କ ସହ ମିଶି ଲଢ଼ିବାକୁ ପ୍ରସ୍ତୁତ।’ ନିର୍ବାଚନ ସମୟରେ ପ୍ରାୟତଃ AIMIM କୁ ବିଜେପିର ‘B-ଟିମ୍’  ବୋଲି ବିରୋଧୀମାନେ ଅଭିଯୋଗ କରନ୍ତି। ଏହି ଆକ୍ଷେପକୁ ପ୍ରତ୍ୟାଖ୍ୟାନ କରି ଓୱେସୀ କହିଛନ୍ତି ଯେ, ସେ ବିଜେପିକୁ ହରାଇବା ପାଇଁ ‘ଇଣ୍ଡି’ (INDIA) ମେଣ୍ଟ ଏବଂ ସମାଜବାଦୀ ପାର୍ଟି ସହ ମିଶିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଓୱେସୀ ଦଳର ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି । ସେ କହିଛନ୍ତି, ‘ଆମର ଲଢ଼େଇ କୌଣସି ଧର୍ମ ବିରୁଦ୍ଧରେ ନୁହେଁ। ଆମର ଲଢ଼େଇ ହେଉଛି ଆମର ସମ୍ମାନ, ନ୍ୟାୟ ଏବଂ ସମାନତା ପାଇଁ। ଯଦି ଅଖିଳେଶ ଚେୟାରରେ ବସିବେ, ତେବେ ଓୱେସୀ ମଧ୍ୟ ତାଙ୍କ ସାମ୍ନାରେ ବସି ନିଜର ଅଧିକାର, ସମାନତା ଏବଂ ନ୍ୟାୟ ବିଷୟରେ ଦାବି ରଖିବ।’ଉତ୍ତର ପ୍ରଦେଶର ୪୦୩ଟି ବିଧାନସଭା ଆସନରେ ସମାଜବାଦୀ ପାର୍ଟି ଏବଂ AIMIM ଦୁହେଁ ଗୋଟିଏ ନିର୍ଦ୍ଦିଷ୍ଟ ଭୋଟର ବର୍ଗ ଉପରେ ନିର୍ଭର କରନ୍ତି। ଓୱେସୀଙ୍କ ସହ ମେଣ୍ଟ କଲେ, ରାଜ୍ୟରେ AIMIM ର ସଙ୍ଗଠନ ଅଧିକ ମଜଭୁତ୍ ହୋଇପାରେ । ଏହା ଭବିଷ୍ୟତରେ ସମାଜବାଦୀ ପାର୍ଟି ପାଇଁ ଚ୍ୟାଲେଞ୍ଜ ହୋଇପାରେ।

Leave a Reply

Your email address will not be published. Required fields are marked *