ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସ୍ପଷ୍ଟ କରିଛନ୍ତି ଯେ, ଭାରତ ପିଓକେ (ପାକିସ୍ତାନ-ଅଧିକୃତ କାଶ୍ମୀର) ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ପାକିସ୍ତାନ ସହ କଥାବାର୍ତ୍ତା କରିବନାହିଁ। ରାଜନାଥ କହିଛନ୍ତି, ପିଓକେ ହେଉଛି ଭାରତର ଅବିଚ୍ଛେଦ୍ୟ ଅଂଶ ଏବଂ ଏହା ଏବେ ବେଆଇନ ଭାବେ ପାକିସ୍ତାନ ଅଧୀନରେ ରହିଛି। ଦ୍ରାସ୍ରେ କାର୍ଗିଲ ଯୁଦ୍ଧ ସ୍ମାରକସ୍ଥଳରେ କାର୍ଗିଲ ବିଜୟ ଦିବସ ସ୍ମୃତି ସମାରୋହ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଜନାଥ କହିଛନ୍ତି, ପାକିସ୍ତାନ ଆତଙ୍କବାଦକୁ ଏହାର ରାଷ୍ଟ୍ରନୀତି କରିଛି।
ପାକିସ୍ତାନର ସାମରିକ ପ୍ରତିଷ୍ଠାନ ଏବଂ ଏହା ସମର୍ଥନ କରୁଥିବା ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ଖୁବ୍ କମ୍ ତଫାତ୍ ରହିଛି। ରାଜନାଥ ଚେତାବନୀ ଦେଇଛନ୍ତି ଯେ, ଭାରତର ସାର୍ବଭୌମତ୍ବକୁ ଚ୍ୟାଲେଞ୍ଜ କରିବାପାଇଁ ଯେକୌଣସି ଉଦ୍ୟମ ବିରୋଧରେ ଭାରତୀୟ ସେନା କଡ଼ା ଜବାବ ଦେବ। ‘ଅପରେସନ୍ ସିନ୍ଦୂର’ ସଂକ୍ରାନ୍ତରେ ରାଜନାଥ କହିଛନ୍ତି, ଭାରତୀୟ ସେନା ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକମାନଙ୍କୁ କଡ଼ା ଜବାବ ଦେଇଛି। ଏହି ଅଭିଯାନ ଭାରତର ପ୍ରସ୍ତୁତି ଓ ଯେକୌଣସି ଆକ୍ରମଣର ଦୃଢ଼ ଜବାବ ଦେବାର କ୍ଷମତାକୁ ପ୍ରଦର୍ଶନ କରିଛି ବୋଲି ସେ କହିଛନ୍ତି।
୧୯୯୯ ମସିହାର କାର୍ଗିଲ ଯୁଦ୍ଧରେ ବଳିଦାନ ଦେଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ରାଜନାଥ କହିଛନ୍ତି, କାର୍ଗିଲ ବିଜୟ କେବଳ ଏକ ସାମରିକ ଓ କୂଟନୈତିକ ସଫଳତା ନୁହେଁ, ଏହା ଭାରତୀୟ ସଶସ୍ତ୍ର ବାହିନୀର ସାହସ, ଦୃଢ଼ ସଙ୍କଳ୍ପ ଓ ବଳିଦାନର ଏକ ଚିରସ୍ଥାୟୀ ପ୍ରତୀକ। କାର୍ଗିଲ ଯୁଦ୍ଧ ସ୍ମାରକୀରେ ଖୋଦିତ ସୈନିକମାନଙ୍କ ନାମ ଦେଶର ପ୍ରତ୍ୟେକ ଅଞ୍ଚଳର ଲୋକଙ୍କୁ ପ୍ରତିନିଧିତ୍ୱ କରେ। ଏହା ଭାରତର ବିଭିନ୍ନ ଅଞ୍ଚଳ, ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ଥିବା ଏକତାକୁ ପ୍ରତିଫଳିତ କରେ ବୋଲି ରାଜନାଥ କହିଛନ୍ତି।