ଗୁଣୁପୁର: ବିଦ୍ୟୁତ ଖୁଣ୍ଟରେ ପିଟିହେଲା ସ୍କୁଟି । ଦୁଇ ମୃତ, ଜଣେ ଗୁତର । ରାୟଗଡ଼ା ଜିଲ୍ଲା ଗୁଣୁପୁର ସହର ନିକଟସ୍ଥ ଶେଫାଳି ପାହାଡରୁ ଫେରୁଥିବାବେଳେ ଦୁର୍ଘଟଣା ଘଟିଛି । ସ୍କୁଟିର ବ୍ରେକ ଫେଲ ହୋଇଯିବାରୁ ଏକ ବିଦ୍ୟୁତ ଖୁଁଟରେ ପିଟି ହୋଇ ଜଣେ ଯୁବତୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ମାନେ ହେଲେ ଭଦ୍ରକ ଜିଲ୍ଲା ଅଂଚଳର ଯୁବତୀ ସସ୍ମୀତା ପଣ୍ଡା ଓ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଶମ୍ବୁଂନାଥ ଦାସ ବୋଲି ଜଣାପଡିଛି । ଅନ୍ୟ ଜଣେ ଗୁରୁତର ଆହତ ବ୍ୟକ୍ତି ଜଣକ ପରିଚୟ ମିଳି ପାରିନଥିବା ବେଳେ କୋଲକାତା ଅଞ୍ଚଳର ବୋଲି ସୂଚନା ମିଳିଛି । ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ମୃତ ସସ୍ମୀତା ପଣ୍ଡା ଦୀର୍ଘ ବର୍ଷ ହେଲା ଗୁଣପୁର ଅଂଚଳରେ ରହି ସ୍ଥାନୀୟ ଅଂଚଳର କୁନି କୁନି ଛୁଆଁଙ୍କୁ ବିଭିନ୍ନ ପ୍ରକାର ନୃତ୍ୟ ପ୍ରଶିକ୍ଷଣ ପ୍ରଦାନ କରୁଥିଲେ । ସସ୍ମୀତାଙ୍କ ଇ-ମାର୍ଟ ଭାରତୀୟ କଳା ଓ ସଂସ୍କୃତି କେନ୍ଦ୍ର ନାମରେ ଏକ ନୃତ୍ୟ ଶିକ୍ଷାନୁଷ୍ଠାନ ଆରମ୍ଭ କରିଥିଲେ । ଉକ୍ତ ନୃତ୍ୟ ଶିକ୍ଷାନୁଷ୍ଠାନକୁ ଶମ୍ବୁଂନାଥ ଦାସ ଓ ଅନ୍ୟ ଜଣେ ବ୍ୟକ୍ତି ଇନ୍ସପେକସେନ କାମରେ ଆସିଥିଲେ । ତେବେ ଗତ କାଲି ରାତ୍ର ସମୟରେ ମୃତ ସସ୍ମୀତା ପଣ୍ଡା , ଶମ୍ବୁଂନାଥ ଦାସ ଓ ଅନ୍ୟ ଜଣେ ବ୍ୟକ୍ତି ଏକ ସ୍କୁଟି ଯୋଗେ ଗୁଣପୁର ଶେଫାଳି ପାହାଡ଼ ସ୍ଥିତ ଶୈବ ପୀଠକୁ ଦର୍ଶନ ପାଇଁ ଯାଇଥିଲେ ।
ଦର୍ଶନ ସାରି ଫେରିବା ସମୟରେ ହଟାତ ସ୍କୁଟିର ବ୍ରେକ ଫେଲ ହୋଇଯିବାରୁ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ସମସ୍ତେ ଗୁରୁତର ଭାବେ ଆହତ ହୋଇଥିଲେ । ସମସ୍ତ ଗୁରୁତର ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରାଯାଇ ଗୁଣପୁର ଉପଖଣ୍ଡ ଚିକିଛାଳୟରେ ଭର୍ତି କରାଯାଇଥିଲା । ସେଠାରେ ଚିକିଛାଧିନ ଅବସ୍ଥାରେ ଶମ୍ବୁନାଥଙ୍କ ମୃତ୍ୟୁ ଘଟିଥିବା ବେଳେ ସସ୍ମୀତା ପଣ୍ଡାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ସମୟରେ ପାରଳାଖେମୁଣ୍ଡି ଜିଲ୍ଲା ଚିକିଛାଲୟରେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି । ଅନ୍ୟ ଜଣେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଗୁଣପୁର ପୋଲିସ ଘଟନାର ତଦନ୍ତ ଜାରି ରଖିଛି ।