Spread the love

ଭୁବନେଶ୍ୱର: ଓଡ଼ିଶାରେ ପୁଣି ଡରାଇଲାଣି କରୋନା। ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲ୍ଲାରେ ଜଣେ ୫୦ ବର୍ଷିୟ ମହିଳା କୋଭିଡ ପଜିଟିଭ ରହିଥିବା ବେଳେ ଆଜି ଆଉ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ପଷ୍ଟ କଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରବିନ୍ଦ୍ର ନାଥ ମିଶ୍ର। ୨ ଜଣ କ୍ୱାରେନଣ୍ଟାଇନରେ ଅଛନ୍ତି। ଜଣେ ସଂକ୍ରମିତ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି। ଭଲ ରହିଛି ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ। କୋଭିଡ ସ୍ଥିତି ଗୁରୁତର ନୁହେଁ ବୋଲି କହିଲା ସ୍ୱାସ୍ଥ୍ଯ ବିଭାଗ।

ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ ୩ଜଣ ମହିଳା (୨ଜଣ ରୋଗୀ ଓ ଜଣେ ମେଡିକାଲ କର୍ମଚାରୀ) କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ କୋଭିଡ-୧୯ ସଂକ୍ରମଣ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ଜନସାଧାରଣଙ୍କୁ ଆତଙ୍କିତ ନହେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପରାମର୍ଶ ଦେଇଛି। ବିଭାଗର ସୂଚନା ଅନୁଯାୟୀ, ଭାରତ ସରକାରଙ୍କ ଇଣ୍ଟିଗ୍ରେଟେଡ୍‌ ଡିଜିଜ୍‌ ସର୍ଭେଲାନ୍ସ ପ୍ରୋଗ୍ରାମ୍‌ ଏବଂ ଇଣ୍ଡିଆନ୍‌ କାଉନ୍ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ ସ୍ବାଧୀନ ଭାବେ କୋଭିଡ୍‌-୧୯ ସ୍ଥିତିର ମୂଲ୍ୟାଙ୍କନ କରିଛନ୍ତି।

ଏହି ମୂଲ୍ୟାଙ୍କନରେ ସଂକ୍ରମଣର ସ୍ତର ବହୁତ କମ୍‌ ଥିବା ଜଣାପଡ଼ିଛି। ତେଣୁ ଏହି ପରିସ୍ଥିତିକୁ ନେଇ ଲୋକମାନେ ଆତଙ୍କିତ ନ ହେବାକୁ ବିଭାଗ ଅନୁରୋଧ କରିଛି। କୋଭିଡ୍‌-୧୯ ରୋଗୀଙ୍କ ନିୟମିତ ନିରୀକ୍ଷଣ, ଚିକିତ୍ସା ଏବଂ କ୍ଲିନିକାଲ୍‌ ସତର୍କତା ଭାରତ ସରକାରଙ୍କ ପ୍ରୋଟୋକଲ୍‌ ଅନୁଯାୟୀ ଜାରି ରହିଛି। ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ ଅନୁଷ୍ଠାନକୁ ଆବଶ୍ୟକ ପ୍ରସ୍ତୁତି ବଜାୟ ରଖିବା ସହ କୌଣସି ଅସ୍ବାଭାବିକ ସ୍ଥିତି ଦେଖାଦେଲେ ତୁରନ୍ତ ରିପୋର୍ଟ କରିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *