Spread the love

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନ୍ତର ମନ୍ତରର ୧.୫ କିଲୋମିଟର ପରିଧି ମଧ୍ୟରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଜନ୍ତର ମନ୍ତରକୁ କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିବାଦ ସ୍ଥଳ ଭାବେ ବ୍ୟବହାର କରାଯାଉଛି।ଏହାସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ବାହାରେ ଧାରା ୧୬୩ ଲାଗୁ କରାଯାଇଛି। ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ସତର୍କତା ଜାରି କରାଯାଇଛି।

ଆନ୍ଦୋଳନର ପ୍ରଭାବ ରାଜଧାନୀର ବ୍ୟବସାୟ ଉପରେ ମଧ୍ୟ ପଡ଼ିଛି। ନୂଆଦିଲ୍ଲୀ ବ୍ୟବସାୟୀ ସଂଘ (NDTA)ର ପରାମର୍ଶକ୍ରମେ ଆଜି ସନ୍ଧ୍ୟା ୬.୩୦ ପରେ କନଟ୍ ପ୍ଲେସ୍‌ର ସମସ୍ତ ଦୋକାନ ଓ ରେଷ୍ଟୁରାଣ୍ଟ ବନ୍ଦ ରଖାଯାଇଛି।ଏହି ସମୟରେ ବିରୋଧୀ ଦଳର ନେତାଙ୍କ ସୁନହେରୀ ବାଗସ୍ଥିତ ବାସଭବନରେ ପ୍ରତିବାଦକାରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ବିରୋଧୀ ଦଳର ସାଂସଦ ଓ ଇଣ୍ଡିଆ ମେଣ୍ଟର ନେତାମାନେ ତିସ୍ ଜାନୁଆରୀ ମାର୍ଗସ୍ଥିତ ଗାନ୍ଧୀ ସ୍ମୃତି ସ୍ମାରକୀରେ ପହଞ୍ଚିଥିଲେ।

ଛାତ୍ର ଆନ୍ଦୋଳନ ୩୪ତମ ଦିନରେ ପହଞ୍ଚିଥିବା ବେଳେ CJP ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ଏପର୍ଯ୍ୟନ୍ତ ସ୍ଥଗିତ ରହିଛି। କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ଚାରିଥର ଆଲୋଚନା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ।କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ଛାତ୍ରମାନଙ୍କ ସହ ଆଲୋଚନା ପାଇଁ ସରକାର ସବୁବେଳେ ପ୍ରସ୍ତୁତ ରହିଛନ୍ତି। ପ୍ରତିବାଦକାରୀମାନେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ବାସଭବନ କିମ୍ବା କାର୍ଯ୍ୟାଳୟରେ ଆଲୋଚନା ପାଇଁ ଆସିପାରିବେ ବୋଲି ସେ କହିଛନ୍ତି। ତେବେ CJP ପକ୍ଷରୁ କୁହାଯାଇଛି ଯେ, ଆଲୋଚନା କେବଳ ଜନ୍ତର ମନ୍ତର ନିକଟରେ ଥିବା ଏକ ନିରପେକ୍ଷ ସ୍ଥାନରେ ହେବା ଉଚିତ।

Leave a Reply

Your email address will not be published. Required fields are marked *