Spread the love

କଟକ: ଏଣିକି ରକ୍ତ ପରୀକ୍ଷା ପାଇଁ କିମ୍ବା ରିପୋର୍ଟ ସଂଗ୍ରହ ପାଇଁ ଆଉ ଲାଇନରେ ଠିଆ ହେବାକୁ ପଡିବନି ।  ଆସିବ ରିପୋର୍ଟ । ଖୁବଶୀଘ୍ର କଟକ ଏସସିବି ମେଡିକାଲର ଦ୍ୱିତୀୟ କ୍ୟାମ୍ପସରେ ଏହି ମାଗଣା ସୁବିଧା ପାଇବେ ରୋଗୀ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

କଟକ ବଡ଼ ମେଡିକାଲକୁ ଦୈନିକ ହଜାର ହଜାର ରୋଗୀ ବିଭିନ୍ନ ସ୍ଥାନରୁ ଚିକିତ୍ସିତ ହେବା ପାଇଁ ଆସୁଛନ୍ତି । ସବୁଠାରୁ ବଡ଼ କଷ୍ଟ ହେଉଛି ବଡ଼ ମେଡିକାଲରେ ରକ୍ତ ପରୀକ୍ଷା କରାଇବା । ବିଶେଷକରି ରୋଗୀଙ୍କ ରକ୍ତକୁ ରକ୍ତ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ପ୍ରତ୍ୟେକ ଦିନ ଲାଗେ ଲମ୍ବା ଲାଇନ । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରକ୍ତ ପରୀକ୍ଷା ପାଇଁ ଦେବାକୁ ପଡେ । ରକ୍ତ ପରୀକ୍ଷା ରିପୋର୍ଟ ଆଣିବାକୁ ମଧ୍ୟ ସମାନ କଷ୍ଟ ହୋଇଥାଏ । ଏଥିସହ ସେହି ଗୋଟିଏ ଦିନ ଡାକ୍ତରଙ୍କୁ ଦେଖାଇବା ବହୁ ଚାଲେଞ୍ଜ ହୋଇଥାଏ । ଜଣେ ଜଟିଳ ରୋଗୀଙ୍କ ପାଇଁ ଏହା ବହୁ ଯନ୍ତ୍ରଣା ଦାୟକ ରହିଥାଏ ।

ତେଣୁ ଏହି ଅସୁବିଧାର ସମାଧାନ କରିବା ପାଇଁ କଟକ ବଡ଼ ମେଡିକାଲ ଦ୍ୱିତୀୟ କ୍ୟାମ୍ପସରେ ରକ୍ତ ପରୀକ୍ଷା ପାଇଁ ବ୍ୟବହାର ହେବ ଅତ୍ୟାଧୁନିକ ଜ୍ଞାନ କୌଶଳ ପଦ୍ଧତି । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ‘ଏହି ଦ୍ୱିତୀୟ କ୍ୟାମ୍ପସରେ ରକ୍ତ ପରୀକ୍ଷା କରିବା ପାଇଁ ରକ୍ତ ସଂଗ୍ରହ କରିବା ଏବଂ ତାହାର ରିପୋର୍ଟ ମିଳିବା ପ୍ରକ୍ରିୟାକୁ କିପରି ଅତି ସହଜ କରାଯିବ । ସେନେଇ ପଦକ୍ଷେପ ନିଆଯାଉଛି ।

ଭାକ୍ୟୁମ ପାଇପ ସାହାଯ୍ୟରେ ବେଡରୁ ସିଧାସଳଖ ଭାବରେ ରକ୍ତ ପରୀକ୍ଷା କେନ୍ଦ୍ର ନିକଟକୁ ପଠାଯିବ । ଏହାର ରିପୋର୍ଟ ମଧ୍ୟ ରୋଗୀଙ୍କର ମୋବାଇଲକୁ ଏବଂ ଡାକ୍ତରଙ୍କ ମୋବାଇଲକୁ ଅତି ସହଜରେ ପଠାଯିବ । ଫଳରେ ଜଣେ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ ଆଉ ହଇରାଣ ହେବାକୁ ପଡିବ ନାହିଁ । ଏହି ସୁବିଧା ଖୁବଶୀଘ୍ର ଉପଲବ୍ଧ ହେବ ।’ ସେପ୍ଟେମ୍ବର ମାସ ସୁଦ୍ଧା ଯେପରି ଏହି ନୂତନ ପ୍ରକଳ୍ପର ଉଦଘାଟନ କରାଯିବ ସେନେଇ ଯୋରସୋରରେ କାମ ଚାଲିଥିବା ମନ୍ତ୍ରୀ କହିଛନ୍ତି ।

 

Leave a Reply

Your email address will not be published. Required fields are marked *