ନୂଆଦିଲ୍ଲୀ: ନିଟ୍ ବିବାଦ ଏବଂ ଛାତ୍ର ଆନ୍ଦୋଳନ ଉପରେ ପୋଲିସ ଲାଠିଚାର୍ଜକୁ ନେଇ ସଂସଦରେ ବିରୋଧୀଙ୍କ ପ୍ରତିବାଦ ଆହୁରି ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ କଂଗ୍ରେସର ଧାରଣାର ପରଦିନ ବୁଧବାର କଂଗ୍ରେସ ସାଂସଦମାନେ କଳା ପୋଷାକ ପିନ୍ଧି ସଂସଦ ପରିସରରେ ବିକ୍ଷୋଭ କରିଛନ୍ତି। ସେମାନଙ୍କ ସହ ସମାଜବାଦୀ ପାର୍ଟି ସମେତ ଅନ୍ୟ ବିରୋଧୀ ଦଳର ସାଂସଦମାନେ ମଧ୍ୟ ସାମିଲ ହୋଇଥିଲେ।
ସଂସଦ ପ୍ରବେଶ ଦ୍ୱାର ନିକଟରେ ବିରୋଧୀ ସାଂସଦମାନେ କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ। ସମାଜବାଦୀ ପାର୍ଟିର ସାଂସଦମାନେ କଳା ସ୍କାର୍ଫ ପିନ୍ଧି ପ୍ରତିବାଦରେ ଯୋଗ ଦେଇଥିଲେ। ଏହାପୂର୍ବରୁ ଏସ୍ପି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ କଂଗ୍ରେସର ଧାରଣାରେ ସାମିଲ ହୋଇଥିଲେ।