ନୂଆଦିଲ୍ଲୀ : ଡେଙ୍ଗୁ ବିରୋଧୀ ଅଭିଯାନରେ ଭାରତକୁ ବଡ଼ ସଫଳତା । ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା । ଜାପାନ ଟାକେଡା ଫାର୍ମା ପ୍ରସ୍ତୁତ ଟିକା ‘କ୍ୟୁଡେଙ୍ଗା’କୁ ମଞ୍ଜୁରୀ । ୪୩ ଦେଶ ପରେ ଭାରତରେ QDENGA ଟିକାକୁ ମିଳିଲା ସବୁଜ ସଙ୍କେତ । ୪ରୁ ୬୦ ବର୍ଷ ବୟସର ବ୍ୟକ୍ତି ନେଇପାରିବେ ଟିକା ।
୨୦୨୨ରେ ବିଶ୍ୱ ବଜାରରେ ଆସିବା ପରଠାରୁ କ୍ୟୁଡେଙ୍ଗାକୁ ୪୩ଟି ଦେଶ ଅନୁମୋଦନ କରିସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ବିଶ୍ୱବ୍ୟାପୀ ୩.୨ କୋଟିରୁ ଅଧିକ ଡୋଜ୍ ବଣ୍ଟନ କରାଯାଇଛି । ଏହି ଟିକା ଡେଙ୍ଗୁ ସଂକ୍ରମଣ ରୋକିବାରେ ସହାୟକ ହେବ । ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଏହି ଟିକାର ବଜାର ପ୍ରବେଶ ପାଇଁ ଅନୁମତି ଦେଇଛନ୍ତି । ଏହାର ଦୁଇଟି ୦.୫ ମିଲିଲିଟର ଡୋଜ୍ ୩ ମାସ ବ୍ୟବଧାନରେ ଦିଆଯିବ ।
ପୂର୍ବରୁ ଡେଙ୍ଗୁ ଜ୍ୱର ହୋଇଥାଉ ବା ନଥାଉ, ଏହି ଟିକା ନିଆଯାଇପାରିବ । ଟିକା ନେବା ପୂର୍ବରୁ କୌଣସି ପ୍ରକାରର ସ୍କ୍ରିନିଂ କିମ୍ବା ଡେଙ୍ଗୁ ପରୀକ୍ଷାର ଆବଶ୍ୟକତା ନାହିଁ । ଏହା ଏକ ‘ଟେଟ୍ରାଭାଲେଣ୍ଟ୍’ ଟିକା, ଯାହା ଡେଙ୍ଗୁ ଭାଇରସର ଚାରୋଟିଯାକ ଷ୍ଟ୍ରେନ୍ ବା ସେରୋଟାଇପ୍ ବିରୋଧରେ ସୁରକ୍ଷା ପ୍ରଦାନ କରିଥାଏ ।
ବିଶ୍ୱର ମୋଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ପ୍ରାୟ ଏକ-ତୃତୀୟାଂଶ ଭାରତରେ । ବିଗତ ଦୁଇ ଦଶନ୍ଧି ମଧ୍ୟରେ ଦେଶରେ ଡେଙ୍ଗୁ ମାମଲା ପ୍ରାୟ ୧୧ ଗୁଣ ବୃଦ୍ଧି ପାଇଛି । କ୍ୟୁଡେଙ୍ଗା ଚାରୋଟିଯାକ ଷ୍ଟ୍ରେନ୍ ବିରୁଦ୍ଧରେ କାମ କରୁଥିବାରୁ, ଏହା ଭାରତର ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ସଫଳତା ସାବ୍ୟସ୍ତ ହେବ । ଭାରତରେ ଏହାର ଉପଲବ୍ଧତା ବଢ଼ାଇବା ପାଇଁ ଟାକେଡା କମ୍ପାନୀ ହାଇଦ୍ରାବାଦର ବାୟୋଲୋଜିକାଲ୍ ଇ. ଲିମିଟେଡ୍ ସହିତ ଚୁକ୍ତି କରିଛି, ଯାହା ଦ୍ୱାରା ଦେଶରେ ବାର୍ଷିକ ୫ କୋଟି ଡୋଜ୍ ଟିକା ଉତ୍ପାଦନ କରାଯିବ ।