ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଗୁଲ୍। ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଗୁଲ୍! । ଜୁଲାଇ ୨୧ରେ ହେବ ହାଇଲେଭଲ୍ ମିଟିଂ। ପ୍ରସ୍ତୁତ ହେବ ଭୋଟର ତାଲିକା!। ଓଡ଼ିଶାରେ ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଏବେଠାରୁ ଅଣ୍ଟା ଭିଡ଼ିଲେଣି।
ନିର୍ବାଚନକୁ ସୁରୁଖୁରୁରେ ଶେଷ କରିବା ପାଇଁ ଆଗୁଆ ପ୍ରସ୍ତୁତି ସ୍ୱରୂପ, ଆସନ୍ତା ଜୁଲାଇ ୨୧ ତାରିଖରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ୍ ମାନଙ୍କ ସହ ଏକ ଉଚ୍ଚସ୍ତରୀୟ ଭିଡିଓ କନଫରେନ୍ସିଂର ଆୟୋଜନ କରାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ଓଏସ୍ ଡି-ତଥା-ସଚିବ ଏସ୍. କେ. ଦାଶ ଗତ ୬ ଜୁଲାଇରେ ସମସ୍ତ ଜିଲ୍ଲାକୁ ଚିଠି ଲେଖି ଏହି ସୂଚନା ଦେଇଛନ୍ତି। ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକ ଜୁଲାଇ ୨୧ ପୂର୍ବାହ୍ନ ୧୧:୩୦ରୁ ଆରମ୍ଭ ହୋଇ ଅପରାହ୍ନ ୧:୩୦ ପର୍ଯ୍ୟନ୍ତ ଚାଲିବ।
ବୈଠକର ମୁଖ୍ୟ ଏଜେଣ୍ଡାରେ ରହିଛି ୨୦୨୭ ସାଧାରଣ ନିର୍ବାଚନ ପାଇଁ ପଞ୍ଚାୟତ ଓ ପୌରାଞ୍ଚଳ ଗୁଡ଼ିକରେ ବୁଥ୍-ଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତ କରିବା ଲାଗି ଘରକୁ ଘର ବୁଲି ସର୍ଭେ କାର୍ଯ୍ୟର ସମୀକ୍ଷା କରାଯିବ। ୨୦୨୨ରେ ହୋଇଥିବା ପୌର ନିର୍ବାଚନର ବାକି ଥିବା ଡିସି ବିଲ୍ ଏବଂ ୟୁଟିଲାଇଜେସନ ସାର୍ଟିଫିକେଟ ର ଯାଞ୍ଚ ହେବ। ଏହାସହ ପୂର୍ବ ବୈଠକ ଗୁଡ଼ିକରେ ନିଆଯାଇଥିବା ନିଷ୍ପତ୍ତି ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହାର ସମୀକ୍ଷା ହେବ।
ଓଏସ୍ ୱାନ୍ପ୍ଲାଟଫର୍ମ ଜରିଆରେ ହେବାକୁ ଥିବା ଏହି ଭିର୍ଚୁଆଲ୍ ମିଟିଂ ପାଇଁ ସ୍ଲଟ୍ ସଂରକ୍ଷିତ ରଖିବାକୁ ‘ଓକାକ’ର ସିଇଓଙ୍କୁ ଅନୁରୋଧ କରାଯାଇଛି। ଏହି ବୈଠକରେ ଜିଲ୍ଲାପାଳମାନଙ୍କ ସହ ସମସ୍ତ ଅତିରିକ୍ତ ଜିଲ୍ଲାପାଳ , ଭୋଟର ରେଜିଷ୍ଟ୍ରେସନ ଅଫିସର ଏବଂ ଆସିଷ୍ଟାଣ୍ଟ ERO ମାନେ ନିଜ ନିଜ ଜିଲ୍ଲାର ଓଏସ୍ ୱାନ୍ କେନ୍ଦ୍ରରୁ ଉପସ୍ଥିତ ରହିବେ।