Spread the love

ପୁରୀ : ଗଜପତିଙ୍କ ଅନୁରୋଧକୁ ଇସ୍କନର ପ୍ରତ୍ୟାଖ୍ୟାନକୁ ନେଇ ତେଜିଲା ବିରୋଧ।  ଚାରିଆଡ଼ୁ ତୀବ୍ ବିରୋଧ କରୁଛନ୍ତି ଜଗନ୍ନାଥପ୍ରେମୀ। ବିଦେଶରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ନିଜ ଜିଦରେ ଅଟଳ ରହିଲା ଇସ୍କନ। ଭାରତ ବାହାରେ ମନଇଚ୍ଛା ଓ ଅଦିନିଆ ତିଥିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଜଟିଳ ମୋଡ଼ ନେଇଛି ।  ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଇସ୍କନ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିବା ସହ ଏହି ପ୍ରସଙ୍ଗରେ ଆଲୋଚନାର ଦ୍ୱାର ସବୁଦିନ ପାଇଁ ବନ୍ଦ କରିଦେଇଛି ।

ଗତ ୧୯ ଅକ୍ଟୋବର ୨୦୨୫ରେ ଇସ୍କନର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ‘GBC’ ନିଷ୍ପତ୍ତି ନେଇଥିଲା ଯେ, ବିଦେଶରେ ବର୍ଷସାରା ଯେକୌଣସି ତାରିଖରେ ରଥଯାତ୍ରା କରାଯାଇପାରିବ। ଶାସ୍ତ୍ରୀୟ ପରମ୍ପରା ବିରୋଧୀ ଏହି ନିଷ୍ପତ୍ତିର ପୁନର୍ବିଚାର ତଥା ସଂଶୋଧନ ପାଇଁ ଗତ ୪ ଜୁଲାଇ ୨୦୨୬ରେ ଗଜପତି ମହାରାଜା ଇସ୍କନ GBC ଅଧ୍ୟକ୍ଷ ମଧୁସେବିତ ଦାସଙ୍କୁ ଇ-ମେଲ୍ ଯୋଗେ ବିଶେଷ ଅନୁରୋଧ କରିଥିଲେ। ତେବେ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ କରାଯାଇଥିବା ଏହି ଅପିଲ୍ କୁ ଇସ୍କନ କର୍ତ୍ତୃପକ୍ଷ ଆଦୌ ଗ୍ରହଣ କରିନାହାନ୍ତି ।  ଗତ ୭ ଜୁଲାଇ ୨୦୨୬ରେ ଇସ୍କନ ଅଧ୍ୟକ୍ଷ ମଧୁସେବିତ ଦାସ ଏକ ଇମେଲ୍ ମାଧ୍ୟମରେ ଗଜପତିଙ୍କ ଅନୁରୋଧକୁ ଦୃଢ଼ତାର ସହ ପ୍ରତ୍ୟାଖ୍ୟାନ କରିଛନ୍ତି।

ସେ ତାଙ୍କ ଜବାବରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, “ଏହି ବିଷୟରେ ଆମର ଆଉ କିଛି ଅଧିକ କହିବାର ନାହିଁ, ଏବଂ ସେଥିପାଇଁ ଆମେ ସମ୍ମାନର ସହ ଏହି ଆଲୋଚନାରୁ ସଦାସର୍ବଦା ପାଇଁ ଓହରି ଯାଉଛୁ। ଇସ୍କନର ଏହି କଠୋର ଆଭିମୁଖ୍ୟରୁ ସ୍ପଷ୍ଟ ଜଣାପଡୁଛି ଯେ, ସେମାନେ ପୁରୀ ଶ୍ରୀମନ୍ଦିରର ଶତାବ୍ଦୀ ଶତାବ୍ଦୀର ପରମ୍ପରା କିମ୍ବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ସମ୍ମାନ ଦେବାକୁ ପ୍ରସ୍ତୁତ ନାହାନ୍ତି। ଆଲୋଚନାର ପନ୍ଥାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେବା ନିଶ୍ଚିତ ଭାବେ ସନାତନ ସଂସ୍କୃତିର ଅନୁଗାମୀ ଏବଂ ଇସ୍କନ ମଧ୍ୟରେ ଥିବା ଦୂରତ୍ୱକୁ ଆହୁରି ବଢ଼ାଇଦେବ।

Leave a Reply

Your email address will not be published. Required fields are marked *