କଟକ: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ସାଇବର ଆର୍ଥିକ ଠକେଇ। ଏହି ଠକେଇକୁ ରୋକିବା ପାଇଁ ଓଡ଼ିଶା ପୋଲିସ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ବୁଧବାର ଦିନ ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ସାଇବର ଆର୍ଥିକ ଠକେଇ ମାମଲା ଗୁଡ଼ିକର ତ୍ୱରିତ ସମାଧାନ ପାଇଁ ‘ଇ-ଜିରୋ ଏଫଆଇଆର’ (e-Zero FIR) ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ନୂତନ ଜ୍ଞାନକୌଶଳ ଉପରେ ଆଧାରିତ ଏହି ବ୍ୟବସ୍ଥା ଦ୍ୱାରା ଅପରାଧର ତୁରନ୍ତ ପଞ୍ଜିକରଣ ସହିତ ପୋଲିସର କାର୍ଯ୍ୟାନୁଷ୍ଠାନ ଦ୍ରୁତ, ସ୍ୱଚ୍ଛ ଓ ପ୍ରଭାବଶାଳୀ ହୋଇପାରିବ ବୋଲି ଆଶା କରାଯାଉଛି।
ସାଇବର ଆର୍ଥିକ ଠକେଇ ଘଟଣା ବଢ଼ୁଥିବାରୁ ଅଭିଯୋଗ ପଞ୍ଜୀକରଣକୁ ଅଧିକ ଦ୍ରୁତ, ସରଳ ଓ ପ୍ରଭାବଶାଳୀ କରିବା ସହ ଠକେଇ ହୋଇଥିବା ଅର୍ଥ ଉଦ୍ଧାରର ସମ୍ଭାବନା ବଢ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହା ନାଗରିକଙ୍କୁ ଅଧିକ ସ୍ୱଚ୍ଛ, ଦକ୍ଷ ଓ ଜନକଲ୍ୟାଣମୂଳକ ପୋଲିସ ସେବା ପ୍ରଦାନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ବ୍ୟବସ୍ଥାରେ ରାଜ୍ୟ ଅପରାଧ ଅଭିଲେଖ ବ୍ୟୁରୋ (SCRB) ଜାତୀୟ ସାଇବର ହେଲ୍ପଲାଇନ୍ ୧୯୩୦କୁ CCTNS ସହ ସମନ୍ୱୟ କରିଛି।
ନୂତନ ବ୍ୟବସ୍ଥା ଅନୁଯାୟୀ, ୧୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ସାଇବର ଆର୍ଥିକ ଠକେଇ ସମ୍ବନ୍ଧୀୟ ଅଭିଯୋଗ ୧୯୩୦ରେ ପଞ୍ଜୀକୃତ ହେଲେ, CCTNSରେ ସ୍ୱୟଂଚାଳିତ ଭାବେ e-Zero FIR ଅନୁରୋଧ ସୃଷ୍ଟି ହେବ ଏବଂ ତାହା ଅପରାଧ ଶାଖାର ସାଇବର ପୋଲିସ ଷ୍ଟେସନ୍କୁ ପଠାଯିବ।