ଭୁବନେଶ୍ୱର: ଗତ ଶିକ୍ଷା ବର୍ଷରୁ ରାଜ୍ୟରେ ଲାଗୁ ହୋଇଥିଲା ଶିଶୁ ବାଟିକା। ରାଜ୍ୟର ୪୫ ହଜାର ସ୍କୁଲରେ ଆରମ୍ଭ ହୋଇଛି ଶିଶୁ ବାଟିକା ଶ୍ରେଣୀ । ଅଙ୍ଗନବାଡ଼ିରୁ ସିଧା ପ୍ରଥମ ଶ୍ରେଣୀ ନୁହେଁ ଶିଶୁବାଟିକାରେ ନାମ ଲେଖାଇଥିଲେ ଛାତ୍ରଛାତ୍ରୀ । ପ୍ରାଥମିକ ପର୍ଯ୍ୟାୟରେ ସରକାର ଶିଶୁଙ୍କ ଯତ୍ନ ନେବାକୁ ଶିଶୁ ସେବିକା ନିଯୁକ୍ତି ଦେଇଛନ୍ତି । ମାତ୍ର ଏବେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟରେ ନିଯୁକ୍ତ ହେବେ ୭ ହଜାର ୨୩୪ ଜଣ ଶିକ୍ଷକ । ଏହି ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛି ଅର୍ଥ ବିଭାଗ ।
ସୂଚନାଯୋଗ୍ୟ, ଏବେ ଶିଶୁମାନଙ୍କ ବୌଦ୍ଧିକ ବିକାଶ ସେମାନଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଜାତୀୟ ଶିକ୍ଷା ନୀତି ୨୦୨୦ ସହ ପ୍ରାରମ୍ଭିକ ଶିଶୁ ଯତ୍ନ ଓ ଶିକ୍ଷା (ଇସିସିଇ)କୁ ସୁଦୃଢ଼ କରିବା ପାଇଁ ସରକାର ଶିଶୁ ବାଟିକା ଶ୍ରେଣୀ ପାଇଁ ଶିକ୍ଷକ ପଦବୀ ସୃଷ୍ଟି କରିଛନ୍ତି । ଅର୍ଥ ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠିରେ ଜଣାଇଛି, ମୋଟ ୭ ହଜାର ୨୩୪ଟି ଶିକ୍ଷକ ପଦବୀ ପାଇଁ ଅନୁମୋଦନ ଦିଆଯାଇଛି । ପ୍ରତି ଜିଲ୍ଲାରେ ନିଯୁକ୍ତି ଦିଆଯିବ । ପ୍ରତି ଶିକ୍ଷକଙ୍କୁ ମାସିକ ୨୬ ହଜାର ୨୦୦ ଟଙ୍କା ପାରିଶ୍ରମିକ ଦିଆଯିବ । ଏଥିପାଇଁ ସମଗ୍ର ଶିକ୍ଷା ପାଣ୍ଠିରୁ ବାର୍ଷିକକ ୨୨୭ କୋଟି ୪୩ ଲକ୍ଷ ୬୯ ହଜାର ୬୦୦ ଟଙ୍କା ଖର୍ଚ୍ଚ ହେବ ।