ନୂଆଦିଲ୍ଲୀ : ଦିଲ୍ଲୀରେ ମୌସୁମୀ ବର୍ଷା ହେବା ଯୋଗୁଁ ଗରମରୁ ଆଶ୍ବସ୍ତି ମିଳିଛି । ମୁମ୍ବାଇ ପରେ ଦିଲ୍ଲୀରେ ପ୍ରବଳ ବର୍ଷା ଲାଗି ରହିଛି । ବିଭିନ୍ନ ସ୍ଥାନରେ ପାଣି ଭରିବା ଯୋଗୁଁ ଅନେକ ସ୍ଥାନରେ ଜାମ୍ ସ୍ଥିତି ରହିଛି । ବର୍ଷା ଯୋଗୁଁ ଦ୍ବାରକା ଏକ୍ସପ୍ରେସ ୱେ ଅଣ୍ଡରପାସରେ ପାଣି ଭରିବା ଯୋଗୁଁ ଜାମ୍ ଲାଗିଛି । ଫଳରେ ଦ୍ବାରକା ଏକ୍ସପ୍ରେସ ୱେ ଉପରେ ପ୍ରଭାବ ପଡିଛି । ଦିଲ୍ଲୀରେ ବର୍ଷା ଯୋଗୁଁ ପବନ ମଧ୍ୟ ବୋହୁଛି । ଏଥିପାଇଁ ୧୫ ଉଡ଼ାଣ ରୁଟକୁ ଡାଇଭର୍ଟ କରାଯାଇଛି । ଏଥିରେ ୫ଟି ଅନ୍ତର୍ରାଷ୍ଟ୍ରୀୟ ଉଡ଼ାଣ ଏବଂ ୧୦ଟି ଘରୋଇ ଉଡ଼ାଣ ସାମିଲ ରହିଛି ।
ଖରାପ ପାଣିପାଗ ଯୋଗୁଁ ଏସବୁ ଉଡ଼ାଣକୁ ଜୟପୁର ଏବଂ ଲକ୍ଷ୍ନୌକୁ ଡାଇଭର୍ଟ କରାଯାଇଛି । ପାଣିପାଗ ସମାନ୍ୟ ହେବା ପରେ ପୁଣିଥରେ ଉଡ଼ାଣକୁ ନିଜ ଗନ୍ତବ୍ୟ ସ୍ଥଳକୁ ହେବ । ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ମିଣ୍ଟୋ ବ୍ରିଜ, ଓଖଲା ଉଦ୍ୟୋଗିକ କ୍ଷେତ୍ର, ତୁଗଲକାବାଦ, ପୁଲ ପ୍ରହ୍ଲାଦପୁର ଏବଂ ବାୟୋ ଡାଇଭରସିଟି ପାର୍କରେ ପାଣି ଭରିଛି ।
ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ଆଜି ଦିଲ୍ଲୀ-NCR ସମେତ ଅନେକ ରାଜ୍ୟରେ ପାଗ ମିଜାଜ କିଛି ଏହିପରି ରହିବ । ଦିଲ୍ଲୀରେ ଆଜି ଆକାଶ ମେଘୁଆ ରହିବ । ଦ୍ୱିପହର ପୂର୍ବରୁ ହାଲୁକା ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ମାରିବାର ଆଶଙ୍କା ରହିଛି । ଏହି ସମୟରେ ଘଣ୍ଟାକୁ ୩୦-୪୦ କିମି ବେଗରେ ପବନ ବହିପାରେ । ସୋମବାର ଦିନ ମଧ୍ୟ ଦିଲ୍ଲୀର ଅନେକ ଅଞ୍ଚଳରେ ହାଲୁକା ବର୍ଷାର ସମ୍ଭାବନା ରହିଛି ।
ଜୁଲାଇ ୨ରେ ଦିଲ୍ଲୀରେ ମୌସୁମୀ ପ୍ରବେଶ କରିଥିଲା । ୪-୫ ଦିନ ବିଳମ୍ବରେ ପହଞ୍ଚିଥିଲା ମୌସୁମୀ । ତେବେ ଦିଲ୍ଲୀ, ହରିୟାଣା, ଚଣ୍ଡୀଗଡ ଏବଂ ପଞ୍ଜାବରେ ୬-୮ ଜୁଲାଇ ଯାଏଁ ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ମୁମ୍ବାଇରେ ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।