ବିହାର : ବିହାରର ଭାଗଲପୁର ଜିଲ୍ଲା ନବଗଛିଆ ଅଞ୍ଚଳରେ ଗଙ୍ଗା ନଦୀରେ ବଡ଼ ଅଘଟଣ । ରାଘୋପୁର ଅଞ୍ଚଳରେ ବନ୍ଧ ମରାମତି ଓ ବନ୍ୟା ନିୟନ୍ତ୍ରଣ କାମରେ ନିୟୋଜିତ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଗଙ୍ଗାର ପ୍ରଖର ସ୍ରୋତରେ ଓଲଟି ପଡ଼ିଛି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ SDRF ଟିମ୍ ଉଦ୍ଧାର କରିଥିବାବେଳେ ୨ ଜଣ ଏବେବି ନିଖୋଜ ରହିଛନ୍ତି ।
ଖବର ମୁତାବକ, ରାଘୋପୁର ଅଞ୍ଚଳରେ ବନ୍ଧ ମରାମତି ଓ ବନ୍ୟା ନିୟନ୍ତ୍ରଣ କାମରେ ନିୟୋଜିତ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡିଥିଲା । ଗଙ୍ଗା ନଦୀ ସ୍ରୋତରେ ଡଙ୍ଗା ହଠାତ୍ ଓଲଟି ପଡିଥିଲା । ଡଙ୍ଗାରେ ଥିବା ଶ୍ରମିକ ପାଣିକୁ ଡେଇଁ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିଛି ଶ୍ରମିକ ପହଁରି ବାହାରିଥିବା ବେଳେ ଆଉ କେତେକଙ୍କୁ ଏସଡିଆରଏଫ ଟିମ୍ ରେସକ୍ୟୁ କରିଥିଲା । ଡଙ୍ଗାରେ ପ୍ରାୟ ୨୨ ଜଣ ଶ୍ରମିକ ଥିଲେ ।
ରାଘୋପୁର ଅଞ୍ଚଳରେ ଗଙ୍ଗା ନଦୀର ଚାପ ଯୋଗୁଁ ବନ୍ଧ କ୍ଷତିଗ୍ରସ୍ତ ହୋଇଥିଲା । ଏହାର ମରାମତି ଏବଂ କଟାଉ ରୋକିବା ପାଇଁ ଶ୍ରମିକମାନେ କାମ କରୁଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଡଙ୍ଗା କୂଳକୁ ଯାଉଥିବା ବେଳେ ଗଙ୍ଗା ସ୍ରୋତରେ ପୁଣି ଟାଣି ହୋଇଯାଇଥିଲେ । ସେଥିପାଇଁ ଡଙ୍ଗା ଓଲଟି ପଡିଥିଲା । ଏଥିରେ ଦୁଇ ଜଣ ନାଉରିଆ ଥିଲେ ।
ଘଟଣାର ସୂଚନା ପାଇବା ପରେ ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ SDRF ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୋଟରବୋଟ୍ ଓ ଡାଇଭରଙ୍କ ସହାୟତାରେ ଗଙ୍ଗା ନଦୀରେ ନିଖୋଜ ଶ୍ରମିକଙ୍କୁ ଖୋଜିବା ପାଇଁ ଅଭିଯାନ ଚାଲିଛି ।
ଗଙ୍ଗାରେ ପ୍ରଖର ସ୍ରୋତ ଥିବାରୁ ଉଦ୍ଧାରକାର୍ଯ୍ୟ ଚ୍ୟାଲେଞ୍ଜିଂ ହୋଇଛି। ନିଖୋଜ ଶ୍ରମିକଙ୍କ ସନ୍ଧାନ ସହିତ ଘଟଣାର ପ୍ରକୃତ କାରଣ ଏବଂ ଡଙ୍ଗାରେ ଥିବା ଲୋକଙ୍କ ସଠିକ୍ ସଂଖ୍ୟା ନେଇ ମଧ୍ୟ ପ୍ରଶାସନ ତଥ୍ୟ ସଂଗ୍ରହ କରୁଛି ।