ଇସଲାମାବାଦ୍: ପାକିସ୍ତାନ ଅନ୍ତର୍ଗତ ବଲୁଚିସ୍ତାନରେ ସକ୍ରିୟ ବଲୁଚିସ୍ତାନ ଲିବରେସନ ଆର୍ମି(ବିଏଲଏ)ଗ୍ୱାଦରରେ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଆତ୍ମଘାତୀ ଆକ୍ରମଣ କରିଛି। ଏହି ଆତ୍ମଘାତୀ ଆକ୍ରମଣରେ ପାକିସ୍ତାନ ସୁରକ୍ଷା ବାହିନୀର ୩୦ ଜଣ ସୈନିକ ନିହତ ହୋଇଥିବା ଏକ ବିଏଲଏ ତରଫରୁ ଜାରି ଏକ ବିବୃତିରେ ଦର୍ଶାଯାଇଛି। ବିଏଲଏ ଦାବି କରିଛି, ୩୦ ରୁ ଅଧିକ ପାକିସ୍ତାନୀ ସୁରକ୍ଷା ବାହିନୀ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି।
ବିଏଲଏ ଏକ ବିବୃତିରେ କହିଛି, ଏକ ବିସ୍ଫୋରକ ଭର୍ତ୍ତି ଟ୍ରକ ଦ୍ବାରା ଜିୱାନିର ପାନୱାନ୍ ତଟରକ୍ଷୀ ଘାଟି ଉପରେ ଆତ୍ମଘାତୀ ଆକ୍ରମଣ କରାଯାଇଥିଲା। ବଲୁଚିସ୍ତାନ ପୋଷ୍ଟ ରିପୋର୍ଟ କରିଛି, ବିଏଲଏର ଖାସ୍ ମାଜିଦ୍ ବ୍ରିଗେଡ୍ ଦ୍ୱାରା ଶୁକ୍ରବାର ସନ୍ଧ୍ୟାରେ ଏହି ଆତ୍ମଘାତୀ ଆକ୍ରମଣ କରାଯାଇଥିଲା।ଆତାଉଲ୍ଲା ବଲୁଚ୍ ଓରଫ ଅଜମଲ ନାମକ ଜଣେ ଆତ୍ମଘାତୀ ଆକ୍ରମଣକାରୀ ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ବିସ୍ଫୋରକ ଭର୍ତ୍ତି ଏକ ମାଜଦା ଟ୍ରକକୁ ତଟରକ୍ଷୀ ଶିବିର ଭିତରରେ ଧସାଇ ପଶି ବିସ୍ଫୋରଣ ଘଟାଇଥିଲେ ବୋଲି ବିଏଲଏ ମୁଖପାତ୍ର ଜିଆନ୍ଦ୍ ବଲୁଚ୍ କହିଛନ୍ତି। ବିଏଲଏର ଗଣମାଧ୍ୟମ ଶାଖା ତରଫରୁ ଏ ନେଇ ଏକ ଭିଡିଓ ଜାରି କରାଯାଇଛି।