ଭୁବନେଶ୍ବର: ଭୁବନେଶ୍ବରରେ ୧୧୨.୩ ମିମି ବର୍ଷା । ରାଜଧାନୀ ଭୁବନେଶ୍ବରରେ ୧୦୦ ମିମି ଅତିକ୍ରମ କଲା ବର୍ଷା । ୨୪ ଘଣ୍ଟାରେ ୧୧୨.୩ ମିମି ବର୍ଷା ରେକର୍ଡ । ଏଥିସହ ଜାଣିରଖନ୍ତୁ ଯେ, ଚାନ୍ଦବାଲିରେ ୬୪.୬ ମିମି, ପୁରୀରେ ୫୫.୭ ମିମି ବର୍ଷା ରେକର୍ଡ ହୋଇଛି ।
ଅନ୍ୟପଟେ, ସାରା ରାଜ୍ୟରେ ବର୍ଷା ବିତ୍ପାତ । ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ବର୍ଷା ଯୋଗୁ ବିଭିନ୍ନ ସହରାଞ୍ଚଳରେ ଜଳବନ୍ଦି ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଜୁନ୍ ରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଥିଲା, ଚଳିତ ଲଘୁଚାପ ବର୍ଷା ଏହାର ଏକପ୍ରକାର ଭରଣା କରିଛି ।
ଜୁଲାଇ ୧ରୁ ୪ ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୯୪.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ଏବଂ କେତେକ ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର ଓ କନ୍ଧମାଳଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିଲେ ମଧ୍ୟ କୌଣସି ସ୍ଥାନରେ ନଦୀର ଜଳସ୍ତର ସତର୍କ ସୂଚନା ସ୍ତରକୁ ଆସିନାହିଁ ।
ହେଲେ ଜଳଭଣ୍ଡାରଗୁଡ଼ିକରେ ଜଳସ୍ତର ବଢ଼ୁଥିବାରୁ କ୍ଷମତାକୁ ଦେଖି ଜଳ ନିଷ୍କାସନ କରିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ୍ ରେ ସର୍ବାଧିକ ୨୦୨ ମିଲିମିଟର ବର୍ଷା ହୋଇଛି । ରାଜ୍ୟର ୬ଟି ବ୍ଲକ୍ ରେ ୧୦୦ ମିଲିମିଟରରୁ ଅଧିକ ଏବଂ ୩୮ଟି ବ୍ଲକ୍ ସହ ୩ଟି ସହରାଞ୍ଚଳର ୪ଟି କେନ୍ଦ୍ରରେ ୫୦ରୁ ୧୦୦ ମିଲିମିଟର ମଧ୍ୟରେ ବର୍ଷା ହୋଇଛି ।