ଯୋଡ଼ା : ଧାରଣାରେ ଡାକ୍ତର, ହୋଇପାରୁନି ପୋଷ୍ଟମର୍ଟମ । ୨୪ ଘଣ୍ଟାରୁ ଅଧିକ ସମୟ ହେବ ଯୋଡ଼ା ହସ୍ପିଟାଲ୍ ରେ ପଡ଼ିରହିଛି ନାବାଳକର ମୃତଦେହ । ସୁନ୍ଦରଗଡ଼ କୋଇଡା ଥାନା ମାଲଦା ସଂରକ୍ଷିତ ଜଙ୍ଗଲରେ ମାଙ୍ଗାନିଜ୍ ଉତ୍ତୋଳନ ବେଳେ ଦୁର୍ଘଟଣା ଘଟିଥିଲା । ସଂରକ୍ଷିତ ଜଙ୍ଗଲରେ ଚୋରା ମାଙ୍ଗାନିଜ୍ ଖନନ ବେଳେ ମାଟି ଅତଡ଼ା ଖସି ୧୪ ବର୍ଷ ନାବାଳକର ମୃତ୍ୟୁ ହୋଇଥିଲା । ଉଦ୍ଧାର କରାଯାଇ ଯୋଡା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ନାବାଳକକୁ ମୃତ ଘୋଷଣା କରିଥିଲେ । ହେଲେ ମେଡିକାଲରେ ଶବ ବ୍ୟବଚ୍ଛେଦ ହୋଇ ପାରିବ ନାହିଁ କହିଥିଲେ ଡାକ୍ତର । ତେଣୁ ୨୪ ଘଣ୍ଟାରୁ ଅଧିକ ସମୟ ହେବ ବ୍ୟବଚ୍ଛେଦ ଗୃହରେ ପଡି ରହିଛି ମୃତଦେହ । ଘଟଣାସ୍ଥଳରେ କୋଇଡ଼ା ପୋଲିସ ପହଞ୍ଚି ତଦନ୍ତ କରୁଛି ।
ସେପଟେ ଓଡ଼ିଶାରେ ଚାଲିଥିବା ଡାକ୍ତରୀ ସେବା ବର୍ଜନ ଆନ୍ଦୋଳନ ଉପରେ ଏବେ ରାଜ୍ୟ ସରକାର ଶକ୍ତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସ୍ୱାସ୍ଥ୍ୟ ସେବା ବ୍ୟାହତ ହେଉଥିବା ଦେଖି ସରକାର ଏକ ବଡ଼ ପ୍ରଶାସନିକ ନିଷ୍ପତ୍ତି କ୍ରମେ ଆନ୍ଦୋଳନରତ ଓଏମ୍ ଏଚ୍ ଏସ୍ କ୍ୟାଡର ଡାକ୍ତରମାନଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଆନ୍ଦୋଳନରେ ସାମିଲ ଥିବା ଚୁକ୍ତିଭିତ୍ତିକ ଡାକ୍ତରମାନଙ୍କୁ ଚାକିରିରୁ ବାହାର କରିଦେବାକୁ ମଧ୍ୟ ଚେତାବନୀ ଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଓଏମ୍ ଏସ୍ଏ ସଦସ୍ୟ ଏବଂ କିଛି ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଏହି କାର୍ଯ୍ୟବର୍ଜନ ଯୋଗୁଁ ସାଧାରଣ ଜନତା ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି । ରାଜ୍ୟରେ ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂରକ୍ଷଣ ଆଇନ, ୧୯୮୮ ବଳବତ୍ତର ଥିବା ସତ୍ତ୍ୱେ ଏଭଳି ଆନ୍ଦୋଳନ କରାଯିବାକୁ ସରକାର ଗ୍ରହଣ କରିନାହାନ୍ତି ।