Spread the love

କନ୍ଧମାଳ: ସମଗ୍ର ରାଜ୍ୟରେ ଲାଗି ରହିଛି ବର୍ଷାର ପ୍ରକୋପ । ସହରାଞ୍ଚଳରେ ଜଳବନ୍ଦୀ ଓ ଜଳ ଜମିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି)କୁ ହାଇଆଲର୍ଟରେ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ନିର୍ଦ୍ଦେଶ ଦିଆଯାଇଛି । ଏହି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ହେଉଛି । ପ୍ରବଳ ବର୍ଷା ଯୋଗୁଁ ଛୋଟ ପିଲାମାନଙ୍କ ଯାତାୟାତ କରିବା କଷ୍ଟକର ହୋଇପାରେ । ତେଣୁ, କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ଏବଂ ପିଲାମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଛୁଟି ଘୋଷଣା କରାଯାଇଛି ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗ ଓ ସମସ୍ତ ୟୁଏଲବିକୁ ଯେ କୌଣସି ବର୍ଷାଜନିତ ପରିସ୍ଥିତିର ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ କହିଛନ୍ତି । ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପରାମର୍ଶ ଜାରି କରାଯାଇଛି । ଚିହ୍ନଟ ହଟ୍‌ ସ୍ପଟ୍‌ ଓ ନିମ୍ନାଞ୍ଚଳରେ ଜଳବନ୍ଦୀ ଏବଂ ଜଳ ଜମିବାକୁ ରୋକିବା ପାଇଁ ସମସ୍ତ ପ୍ରତିଷେଧକ ପଦକ୍ଷେପ ନେବାକୁ କୁହାଯାଇଛି ।

ଅନ୍ୟପଟେ ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ଦକ୍ଷିଣ ବାଂଲାଦେଶ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । କାଲି ଲୋପ୍ରେସର ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ବଢ଼ିବ ବର୍ଷା । ଲଘୁଚାପ ପ୍ରଭାବରେ ବଢ଼ିବ ବର୍ଷାର ପରିମାଣ । ସପ୍ତାହେ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave a Reply

Your email address will not be published. Required fields are marked *